କାର୍ଗିଲ ବିଜୟ ଦିବସ
- ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ
- ଭାରତୀୟ ସେନାର ପରାକ୍ରମ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ
ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ବିଜୟକୁ ପୁରିଲା ୨୨ ବର୍ଷ । ୧୯୯୯ ଜୁଲାଇ ମାସର ଆଜିର ଦିନରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା । ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ୬୦ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ସହିଦଙ୍କ ସାହସିକତା ଓ ଦେଶପାଇଁ ବଳିଦାନକୁ ମନେ ପକାଇ ବେଶ୍ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ।
ପରାକ୍ରମୀ ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି । ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । ୨୨ ବର୍ଷ ତଳେ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ଆଉ ସାରା ଦେଶକୁ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା କରିଥିଲେ । ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ, ସବୁ ମହଲରେ ପ୍ରଶଂସା ସାଉଁଟିଥିଲା । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା । ଏହି ଅବସରରେ କାଶ୍ମୀରର ଡ୍ରାସଠାରେ ଥିବା କାରଗିଲ ୱାର ମେମୋରିଆଲ୍ ରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି । ସେ କାର୍ଗିଲ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି ।
ଯେତେବେଳେ କାର୍ଗିଲ୍ ବିଜୟ ଦିବସର କଥା ଉଠିଥାଏ, ସମସ୍ତଙ୍କ ମନକୁ ଆସିଥାଏ ଗୋଟିଏ ନାଁ । କ୍ୟାପଟେନ୍ ସୌରଭ୍ କାଲିଆ । ଏହା ସେହି ନାଁ , ଯିଏ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ହୋଇଥିଲେ ପ୍ରଥମ ସହିଦ । କାର୍ଗିଲ ଯୁଦ୍ଧରେ ସହିଦ ହେବା ବେଳକୁ କ୍ୟାପଟେନ୍ ସୌରଭ କାଲିଆ ମାତ୍ର ୨୨ ବର୍ଷର ଥିଲେ । କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନା ତାଙ୍କୁ ପ୍ରଥମେ ବନ୍ଦୀ ବନେଇଥିଲା । ଏହା ପରେ ଦେଇଥିଲା ଅକଥନୀୟ ନିର୍ଯ୍ୟାତନା । ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୫ ଜଣ ସାଥୀଙ୍କ ସହିତ ପାଟ୍ରୋଲିଂ କରୁଥିବା ବେଳେ ସୌରଭ କାଲିଆଙ୍କୁ ଧରି ନେବା ପରେ ପାକିସ୍ତାନୀ ସେନା ଅତି ବିଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲା । ସୌରଭ କାଲିଆ ସେନାର ପ୍ରଥମ ଅଧିକାରୀ ଥିଲେ ଯିଏ ପ୍ରଥମେ ପାକିସ୍ତାନୀ ସେନାର ଅନୁପ୍ରବେଶ ନେଇ ସୂଚନା ଦେଇଥିଲେ । କୁହାଯାଇଥାଏ ତାଙ୍କୁ ରଡ୍ ରେ ପିଟି ପିଟି ହତ୍ୟା କରିଥିଲା ପାକିସ୍ତାନୀ ସେନା । ତାଙ୍କର ଆଖି ତାଡି ଦିଆଯାଇଥିଲା । ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ପାକିସ୍ତାନର ଏପରି କାର୍ଯ୍ୟ ସତ୍ୱେ ବି ଶତ୍ରୁ ପାଖରେ ମୁଣ୍ଡ ନୁଆଁଇନଥିଲେ କ୍ୟାପଟେନ୍ ସୌରଭ କାଲିଆ । ଦେଶ ପାଇଁ ସହିଦ ହୋଇଯାଇଥିଲେ । ସୌରଭ କାଳିଆଙ୍କ ସାହସିକତା ଓ ବଳିଦାନ ପରବର୍ତି ସମୟରେ ଭାରତୀୟ ଜବାନଙ୍କୁ କାର୍ଗିଲ ଯୁଦ୍ଧରେ ଲଢିବାକୁ ପ୍ରେରଣା ଯୋଗାଇଥିଲା । ବ୍ୟର୍ଥ ଯାଇନଥିଲା ବଳିଦାନ । ଶେଷରେ ପାକିସ୍ତାନକୁ ଧୂଳି ଚଟେଇ ଭାରତ ହାସଲ କରିଥିଲା ଐତିହାସିକ କାର୍ଗିଲ ବି