ଆଜି ସପ୍ତାହାନ୍ତ ସଟଡାଉନ୍ର ଦ୍ୱିତୀୟ ଦିନ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ଏହାକୁ ପ୍ରତିହତ ପାଇଁ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ଶନିବାର ଠାରୁ ସପ୍ତାହାନ୍ତ ସଟଡାଉନ୍ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ରବିବାର ସପ୍ତାହାନ୍ତ ସଟଡାଉନ୍ର ଦ୍ୱିତୀୟ ଦିନ । ଶନିବାର ଭଳି ରବିବାର ମଧ୍ୟ ସଟଡାଉନ୍ ବେଳେ କଟକଣାକୁ କଡାକଡି କରାଯାଇଛି । ରାଜ୍ୟ ତମାମ ବିଭିନ୍ନ ସହରାଞ୍ଚଳରେ ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂ କରାଯାଇ ଯାଞ୍ଚ୍ କରାଯାଉଛି । ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । ଶନିବାର ପରି ରବିବାର ମଧ୍ୟ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ ଓ ସାଇକେଲିଂ ପାଇଁ ଏକ ଘଣ୍ଟା କଟକଣାକୁ କୋହଳ କରାଯାଇଛି ।
ସଟଡାଉନ୍ ବେଳେ ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏନେଇ ଶୁକ୍ରବାର ପ୍ରେସମିଟ୍ କରି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍ଡାଉନ୍ କଡାକଡି ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ସିପି । ଏହା ସହିତ ଟ୍ୱିନ୍ ସିଟିରେ ମୋଟ ୬୮ଟି ସ୍ଥାନରେ ଚେକିଂ କଡାକଡି କରାଯାଉଛି । ଏଥି ମଧ୍ୟରୁ କଟକରେ ୨୫ଟି ଏବଂ ଭୁବନେଶ୍ୱରରରେ ୪୩ଟି ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି । ଚେକ୍ ପୋଷ୍ଟମାନଙ୍କରେ ଚେକିଂକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।