ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ
- ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ହେବ ଚର୍ଚ୍ଚା !
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବାସରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଉଚ୍ଚସ୍ତରୀୟ ବୈଠକର ଆୟୋଜନ ହେବାକୁ ଯାଉଛି । ଏହି ବୈଠକରେ କ୍ୟାବିନେଟ ସଂପ୍ରସାରଣ ନେଇ ଆଲୋଚନା ହେବ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ ଓ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମୋଦୀ ୨ ସପ୍ତାହ ପୂର୍ବରୁ ସମସ୍ତ ମନ୍ତ୍ରାଳୟର କାମକାର୍ଯ୍ୟର ସମୀକ୍ଷା କରିବା ପରେ ଆଗାମୀ ଦିନରେ ସେମାନଙ୍କର ମନ୍ତ୍ରାଳୟ କ’ଣ ଯୋଜନା କରୁଛି, ଏହାର ରିପୋର୍ଟ ମଧ୍ୟ ମାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଏହି ସପ୍ତାହରେ ହୋଇପାରେ ଏବଂ ଏଥିରେ ୨୦ରୁ ୨୨ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଖୁବ କମ୍ ଦିନ ମଧ୍ୟରେ କ୍ୟାବିନେଟର ସଂପ୍ରସାରଣ ହୋଇପାରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏବେ ୫୩ ଜଣ ମନ୍ତ୍ରୀ ଅଛନ୍ତି ଏବଂ ସଂପ୍ରସାରଣ ପରେ ଏହା ୮୧ରେ ପହଂଚିପାରେ । ମେଣ୍ଟ ଦଳକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଜେଡିୟୁ, ଏଲଜେପି ବ୍ୟତୀତ ଅପନା ଦଲ କୋଟାରୁ ନେତା ଭାବେ ଶପଥ ନେଇପାରନ୍ତି ।
ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଗତ କିଛିଦିନ ଧରି କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହି ସପ୍ତାହରେ କିମ୍ବା ଦିନେ ଦୁଇଦୁଇଦିନ ମଧ୍ୟରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୫୨ ଜଣ ସଦସ୍ୟ ଅଛନ୍ତି । ତେବେ ସୂଚନା ଅନୁସାରେ ୨୦ ଜଣ ନୂଆ ସଦସ୍ୟ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି କରିପାରନ୍ତି। ତେଣୁ ଏବେ ମନ୍ତ୍ରିମଣ୍ଡଳର କଳେବର ୭୦ରୁ ୮୦ ପର୍ଯ୍ୟନ୍ତ ହେବା ନେଇ ଅନୁମାନ କରାଯାଉଛି। ଏପରିକି କିଛି ବରିଷ୍ଠ ମନ୍ତ୍ରୀଙ୍କ ବିଭାଗ ବଦଳିପାରେ। କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଥିବାରୁ ଏଥିରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। କିଛି ନେତାଙ୍କ ପ୍ରଦର୍ଶନ ଅନୁସାରେ ବାଦ ବି ପଡ଼ିପାରନ୍ତି। ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ମୋଦୀଙ୍କ ଅଦଳବଦଳରେ ୟୁପି, ମହାରାଷ୍ଟ୍ରର ନେତାଙ୍କୁ ସ୍ଥାନ ମିଳିପାରେ। ସେହିପରି ପଶ୍ଚିମବଙ୍ଗ, ଆସାମର ନେତାମାନେ ଏଣ୍ଟ୍ରି କରିପାରନ୍ତି ।