ଆଜି ବିଜେଡିର ୨୬ତମ ପ୍ରତିଷ୍ଠା ଉତ୍ସବ, ନେତା ଓ କର୍ମୀଙ୍କୁ ଉଦବୋଧନ ଦେବା ସହ ଗୁରୁମନ୍ତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
![](https://thetruths.in/wp-content/uploads/2022/12/BJD-1.jpg)
ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ବିଜୁ ଜନତା ଦଳ(ବିଜେଡି) ପାଳନ କରିବ ୨୫ ବର୍ଷ ପୂର୍ତ୍ତି ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀଙ୍କୁ ଉଦବୋଧନ ଦେବା ସହ ଗୁରୁମନ୍ତ୍ର ପ୍ରଦାନ କରିବେ । ଏନେଇ ପୁରୀ ତାଳବଣିଆଠାରେ ସ୍ବତନ୍ତ୍ର ଉତ୍ସବ ପାଇଁ ସଭା ସ୍ଥଳ ପ୍ରସ୍ତୁତ କରାଯାଇଛି । ୪୦ରୁ ୫୦ହଜାର କର୍ମୀ ଓ ନେତାଙ୍କ ସମାଗମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଦଳୀୟ କର୍ମୀ ଶଙ୍ଖକ୍ଷେତ୍ରରେ ଜନସେବା ପାଇଁ ସଂକଳ୍ପ ନେବେ । ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ବିଜେଡି ସୁପ୍ରିମୋ ଦେବେ ଗୁରୁମନ୍ତ୍ର । ଏଥିପାଇଁ ନେତା ଓ କର୍ମୀ ମହଲରେ ଦେଖିବାକୁ ମିଳିଛି ଭରପୂର ଉତ୍ସାହ ।
ରାଜ୍ୟବାସୀଙ୍କ ସେବାରେ ୨୫ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳନ କରୁଛି ଦଳ । ପୁରୀ ତାଳବଣିଆରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ଏଥିପାଇଁ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଇ ଆସିଛନ୍ତି ଓଡ଼ିଶାବାସୀ ।
୧୯୯୯ ମସିହାର ମହାବାତ୍ୟାର ବିଭିଷୀକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା । ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ୍ ନେଇ ଏକ ୧୫ ମିନିଟର ଭିଡିଓ ପ୍ରଦର୍ଶନ କରାଯିବ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଶାସନ ଲଗାତାର ରାଜ୍ୟକୁ ପ୍ରଗତୀ ପଥରେ ଆଗେଇ ନେଇଛି । ଓଡ଼ିଶାବାସୀଙ୍କ ହୃଦୟରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦଳର ରୋପ୍ୟ ଜୟନ୍ତୀ ସମାରୋହରେ ରାଜ୍ୟବାସୀଙ୍କ ପାଇଁ କିପରି ଆହୁରି ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବେ ସେନେଇ ଦଳ ସଭାପତି ଦେବେ ଗୁରୁମନ୍ତ୍ର । ବିଜୁ ଜନତା ଦଳର ସମକକ୍ଷ ପ୍ରତିଦ୍ବନ୍ଦ୍ବୀ କେହି ନାହାନ୍ତି । ରାଜ୍ୟବାସୀଙ୍କ ସେବା ପାଇଁ ବିଜେଡି ନିଜ ଭିତରେ ପ୍ରତିଯୋଗିତା କରୁଛି । ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ କିପରି ଆହୁରି ବଳିଷ୍ଠ ହେବ ସେନେଇ ପ୍ରତିଷ୍ଠା ଦିବସରେ ନିଆଯିବ ସଂକଳ୍ପ ।
ପୁରୀ ତାଳବଣିଆରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଷ୍ଠା ଦିବସରେ ଦଳର ସମସ୍ତ ସାଂସଦ, ବିଧାୟକ, ନେତା ଓ କର୍ମୀଙ୍କୁ ମିଶାଇ ୪୦ରୁ ୫୦ ହଜାର ଲୋକଙ୍କ ସମାଗମ ହେବ । ୧୫ ଦିନ ଧରି ସବୁ ନିର୍ବାଚନମଣ୍ଡଳୀରେ ବିଜେଡିର ସେବା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ନେତା ଓ କର୍ମୀ । ଏଥିସହ ବର୍ଷ ତମାମ ରାଜ୍ୟର ସବୁ ଜିଲ୍ଲା, ବ୍ଲକରେ ପାଳନ ହେବ ଦଳର ୨୫ ବର୍ଷ ପୂର୍ତ୍ତି ଉତ୍ସବ ।