ଆଜି ଚୈତ୍ର ନବରାତ୍ରୀର ଦ୍ଵିତୀୟ ଦିନ! ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା’, ଜାଣନ୍ତୁ ପୂଜା ବିଧି ଓ ବିଶେଷ ପ୍ରସାଦ
![](https://thetruths.in/wp-content/uploads/2023/03/Maa-Brahmacharini.jpg)
ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ନବରାତ୍ରୀର ନଅ ଦିନ ଯାକ ମା’ଙ୍କ ନଅ ସ୍ୱରୂପଙ୍କୁ ପୂଜା କରିବାର ବିଧି ରହିଥିବା ବେଳେ ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କୁ ଗତକାଲି ପୂଜା କରାଯାଇଥିଲା । ସେହିପରି ଆଜି ମା’ଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି । ଏଠାରେ ବ୍ରହ୍ମ ଶଦ୍ଦର ଅର୍ଥ ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥାତ୍ ତପର ଚାରିଣୀ । ମା’ଙ୍କର ବ୍ରହ୍ମଚାରିଣୀ ସ୍ୱରୂପ ପୂଣ୍ୟ ଜ୍ୟୋତିର୍ମୟ ଏବଂ ଅତ୍ୟନ୍ତ ଭବ୍ୟ । ମା’ ତାଙ୍କ ଡାହାଣ ହସ୍ତରେ ଜପମାଳା ଏବଂ ବାମ ହସ୍ତରେ କମଣ୍ଡଳ ଧାରଣ କରିଥାନ୍ତି ।
ବ୍ରହ୍ମଚାରିଣୀ ବେଶ ହେଉଛି ମା’ ପାର୍ବତୀଙ୍କର ଆଉ ଏକ ରୂପ । ଏହି ବେଶକୁ ବ୍ରାହ୍ମୀ ମଧ୍ୟ କୁହାଯାଏ । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଏହି କାରଣ ଯୋଗୁଁ ତାଙ୍କୁ ବ୍ରହ୍ମଚାରିଣୀ ନାମରେ ଜଣାଯାଏ। ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍ କରିଥାଏ।
ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ। ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ।
ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ମା’ଙ୍କର ଏହି ପୂଜାକଲେ ଘରେ ଶୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କୁହାଯାଏ ଆଜି ମାଙ୍କୁ ପୂଜା କଲେ ପ୍ରଶର୍ତନା କରୁଥିବା ବ୍ୟକ୍ତର ସବୁ ଦୁଃଖ କଷ୍ଟ ଲାଘବ ହୋଇଥାଏ ।
ପୂଜା ବିଧି :
ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।
ବିଶେଷ ପ୍ରସାଦ :
ଦ୍ବିତୀୟ ଦିନରେ ମା’ଙ୍କୁ ଚିନିରେ ଭୋଗ ଲଗାନ୍ତୁ। ଭୋଗ ଲଗାଇବା ପରେ ଏହାକୁ ଘରର ସଦସ୍ଯ ମାନଙ୍କୁ ଦିଅନ୍ତୁ। ଏମିତି କରିବା ଦ୍ବାରା ଘର ଲୋକଙ୍କ ଦୀର୍ଘାୟୁଷ ବରଦାନ ମିଳିଥାଏ।
ପ୍ରିୟ ଜିନିଷ :
ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ ବ୍ରହ୍ମାଚାରିଣୀଙ୍କୁ ମନ୍ଦାର, ପଦ୍ମ, ଧଳା ଓ ସୁଗନ୍ଧିତ ଫୁଲ ଅଧିକ ପ୍ରିୟ । ଏଭଳି ପରିସ୍ଥିତିରେ ନବରାତ୍ରୀଙ୍କ ଦ୍ୱିତୀୟ ଦିନରେ ଦେବୀ ଦୁର୍ଗାଙ୍କୁ ମନ୍ଦାର, ପଦ୍ମ, ଧଳା ଓ ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ ।
ପୂଜା ର ଲାଭ:
ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଅନନ୍ତ ଫଳ ପ୍ରାପ୍ତି ଏବଂ ତପ, ତ୍ୟାଗ , ବୈରାଗ୍ୟ, ସଦାଚାର, ସଂୟମ ଭଳି ଗୁଣ ବୃଦ୍ଧି ହୋଇଥାଏ । ଜୀବନରେ କଠିନ ସଂଘର୍ଷରେ ମଧ୍ୟ ବ୍ୟକ୍ତି ନିଜ କର୍ତ୍ତବ୍ୟରୁ ବିଚଳିତ ହୁଏ ନାହିଁ । ମା ବ୍ରହ୍ମଚାରିଣୀଙ୍କ କୃପାରୁ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତି ହୋଇଥାଏ ।