ଆଜି ପଖାଳ ଦିବସ ! ଓଡ଼ିଆ ହାଣ୍ଡିଶାଳର ଅନନ୍ୟ ବ୍ୟଞ୍ଜନ ପଖାଳର ସ୍ବାଦ ଆଗରେ ସବୁ ଫିକା
ଆଜି ପାଳନ କରାଯାଉଛି ପଖାଳ ଦିବସ। ଛୁଙ୍କ ପଖାଳକୁ ଛେଚା ଚିଙ୍ଗୁଡ଼ି। ଦହି ପଖାଳକୁ ପତ୍ରପୋଡ଼ା ଚୂନା ମାଛ। ବାସ୍ ଏତିକି ହେଇଗଲେ ଖରାବେଳଟା ଜମିଯାଉଛି। ଖରା ଯେତେ ଟାଣ ହେଉଛି ପଖାଳ କଂସାକୁ ମନ ସେତେ ଲୋଡ଼ୁଛି। ଘରେ ହେଉ କି ହୋଟେଲ୍ରେ ସବୁଠି ଏବେ ଲୋଡ଼ା ପଡ଼ିଲାଣି ପଖାଳ। ଦିନେ ଗରିବ ଘରେ ବଳକା ଭାତ ପଖାଳର ରୂପ ନେଉଥିବା ବେଳେ ଆଜି ତାହା ପଞ୍ଚ ତାରକା ହୋଟେଲର ସ୍ବତନ୍ତ୍ର ମେନୁରେ ସ୍ଥାନ ପାଇଛି। ଚାଳିଆ ହୋଟେଲ୍ରୁ ନେଇ ପଞ୍ଚ ତାରକା ହୋଟେଲ୍ରେ ଏବେ ପଖାଳ ହିଁ ପାଲଟିଛି ମୁଖ୍ୟ ମେନୁ। ସଜ ଘୋଳ ଦହି ସାଙ୍ଗକୁ ଛେଚା ଆମ୍ବ କଷିଆ ଅଦା ପକେଇ କେଉଁଠି ପଖାଳ ପ୍ରସ୍ତୁତ ହେଉଛିତ ପୁଣି କେଉଁଠି କଷି ଆମ୍ବଡେମ୍ଫର ଲସା ସାଙ୍ଗକୁ ଅଦା, ପୁଦିନା ଓ ଧନିଆ ଚଟଣି ଦେଇ ପଖାଳ ପ୍ରସ୍ତୁତ ହେଉଛି।
ଗତ କିଛି ବର୍ଷ ତଳେ ସାମାଜିକ ଗଣମାଧୢମରେ ପଖାଳ ବାବଦରେ ଏତେ ପ୍ରଚାର ହେଲା ଯେ, ଶେଷରେ ମାର୍ଚ ୨୦କୁ ପଖାଳ ଦିବସ ଭାବେ ପାଳିବାକୁ ବାର୍ତାର ସୁଅ ଛୁଟିଲା। ସେବେଠୁ ଅନ୍ତର୍ଜାତୀୟ ଦିବସ ତାଲିକାରେ ଯୋଡ଼ି ହୋଇଗଲା ପଖାଳ ଦିବସ। ଆମେରିକାଠୁ ଆର୍ଜେଣ୍ଟିନା। ଜର୍ମାନୀରୁ ଜାପାନ। ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ପାଳିଲେ ବିଶ୍ବ ପଖାଳ ଦିବସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ର ଲୋକେ ପଖାଳ ପ୍ରିୟ ହୋଇଥିବା ବେଳେ ନେପାଳ, ବାଙ୍ଗାଲୋର ସମେତ ମିଆଁମାରର କିଛି ଅ˚ଶରେ ପଖାଳର ଲୋକପ୍ରିୟତା ଦେଖିବାକୁ ମିଳିଲାଣି।
ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ୍ ପରଷି ଦେଉଛନ୍ତି ରକମ ରକମର ପଖାଳ। ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ, ଆମ୍ବ କଷିଆ ଅଦା ପଖାଳ ଓ ଅରୁଆ ପଖାଳ। ପଖାଳ ପାଗ ପ୍ରସ୍ତୁତି ଦିନକ ଆଗରୁ ହୁଏ।