ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି-୨୦
ମାଲାହିଡେ : ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଆୟରଲାଣ୍ଡ ଗସ୍ତରେ ଅଛି । ଦଳ ୨୬ ତାରିଖ ରବିବାର ଓ ୨୮ ତାରିଖ ମଙ୍ଗଳବାରରେ ଡବଲିନ୍ରେ ଘରୋଇ ଦଳ ବିପକ୍ଷରେ ଦୁଇଟି ଟି୨୦ ମ୍ୟାଚ୍ ଖେଳିବ । ଆଗାମୀ ଦିନରେ ଟି-୨୦ ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ଯୁବ ଭାରତୀୟ କ୍ରିକେଟର୍ମାନେ ଏହି ସିରିଜ୍ରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପରେ ଭାରତ ଆୟରଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚର ଟି-୨୦ ସିରିଜ୍ ଖେଳିବ । ଏହି ମୁକାବିଲା ପାଇଁ ଭାରତୀୟ ଦଳ ଆୟରଲାଣ୍ଡ ପହଂଚି ସାରିଛି । ଏହି ସିରିଜରେ ଭାରତୀୟ ଚୂଡାନ୍ତ ଏକାଦଶକୁ ଫେରିବେ ଦମଦାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ । ଶ୍ରେୟସ ଆୟର ଏବଂ ଋଷଭ ପନ୍ତଙ୍କ ସ୍ଥାନ ନେବ ଏହି ଦୁଇ ଖେଳାଳି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ସଂପ୍ରତି ଲିସେଷ୍ଟରରେ ଟେଷ୍ଟ ଦଳ ସହ ଅଛନ୍ତି । ତାଙ୍କ ସ୍ଥାନରେ ଟି-୨୦ ଦଳର କୋଚିଂ ଦାୟିତ୍ୱ ସମ୍ଭାଳିବେ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ।ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଟେଷ୍ଟ ଦଳରେ ଅଛନ୍ତି । ସେପଟେ ସୁସ୍ଥ ହୋଇ ଭାରତୀୟ ଦଳକୁ ଫେରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଅନ୍ୟପଟେ ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି । ସୂର୍ଯ୍ୟକୁମାର ଯାଦବ ଗତ ଏକ ବର୍ଷରୁ ଭାରତୀୟ ଟି-୨୦ ଦଳର ନିୟମିତ ଖେଳାଳି । ତେବେ ସାମସନ ଏବଂ ଦୀପକ ହୁଡ୍ଡାଙ୍କ ମଧ୍ୟରେ ଦଳ କାହାକୁ ଚୟନ କରିବ ତାହା ଦେଖିବା ବାକି ରହିଲା । କାରଣ ହୁଡ୍ଡା ବ୍ୟାଟିଂ କରିବା ସହିତ ବୋଲିଂ ମଧ୍ୟ କରି ପାରନ୍ତି । ଯଦି କୋଚ୍ ରାହୁଲ ଦ୍ରାବିଡଙ୍କ ଯୋଜନା ଉପରେ ନଜର ପକାଇବା ତେବେ ସେ ଅଧିକ ବିକଳ୍ପ ଖୋଜିବା ଉପରେ ବିଶ୍ୱାସ କରନ୍ତି ନାହିଁ । ତେଣୁ ଦକ୍ଷିଣ ଅ ଆଫ୍ରିକା ବିପକ୍ଷରେ ଖେଳିଥିବା ଚୂଡାନ୍ତ ଏକାଦଶରେ କିଛିଟା ପରିବର୍ତନ ହୋଇପାରେ । ସେପଟେ ଋତୁରାଜ ଗାଏକୱାଡଙ୍କୁ ଆୟରଲାଣ୍ଡ ବିପକ୍ଷ ମୁକାବିଲାରେ ପୁଣି ଥରେ ସୁଯୋଗ ମିଳିପାରେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେତେଟା ପ୍ରଭାବଶାଳୀ ପ୍ରଦର୍ଶନ କରିପାରିନଥିଲେ । ଇଶାନ କିଷନ ଆଗାମୀ କିଛି ବର୍ଷ ପାଇଁ ବିକଳ୍ପ ଓପନର ଭାବେ ନିଜର ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । ସେ ସିରିଜରେ ଓପନ କରିବେ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତିକ ନିଜ ଦାୟିତ୍ୱ ନିଭାଇବେ । ବୋଲିଂ ବିଭାଗରେ ଉମରାନ ମଲିକ ଏବଂ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳୁଛି କି ନାହିଁ ତାହା ଦଳ ପ୍ରବନ୍ଧକଙ୍କ ଉପରେ ନିର୍ଭର କରେ । ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ୍ ନିଜ ସ୍ଥାନ ବଜାୟ ରଖିବେ ଏବଂ ସ୍ପିନ ବିଭାଗରେ ୟୁଜବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ ଲାଗୁଛି । ଆୟରଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଉଛନ୍ତି ।