ଆଜି ବାହୁଡ଼ା ଯାତ୍ରା ! ରତ୍ନବେଦୀକୁ ଫେରିବେ ମହାବାହୁ
ପୁରୀ : ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଶୀଘ୍ର ରଥ ଟଣା ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ। ଦିନ ୧୨ରୁ ପହଣ୍ଡି ଆରମ୍ଭ ହେବା ସହ ଅପରାହ୍ନ ୪ରୁ ରଥ ଟାଣିବେ ଭକ୍ତ। ସଠିକ ସମୟରେ ନୀତିକାନ୍ତି ସରିବା ପାଇଁ ହୋଇଛି ନିଷ୍ପତ୍ତି। ସେପଟେ ରଥ ଉପରେ ମୋବାଇଲରେ ଫୋଟୋ ଉଠାଇବା ନେଇ କଟକଣା ଜାରି କରାଯାଇଛି। ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୭୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ରହିବେ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯୟୀ ତିନି ରଥରେ ଆବଶ୍ୟକ ମରାମତି ସରିଛି। ମହାପ୍ରଭୁଙ୍କୁ ଦେଖିବାରେ ଭକ୍ତ ମାନଙ୍କର ଅସୁବିଧା ନହେବା ପାଇଁ ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ।
ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ ଚୂଡ଼ାନ୍ତ ହୋଇଛି । ଶନିବାର ଭୋର ୪ ଟାରେ ମଙ୍ଗଳ ଆଳତି, ଭୋର ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି, ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫.୪୫ରୁ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ୪ ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଂଟ ହୋଇଛି ।
ସେହିପରି ଦାରୁବ୍ରହ୍ମଙ୍କ ବାହୁଡାଯାତ୍ରା ଏବଂ ସୁନାବେଶ ଦେଖିବାକୁ ପୁରୀରେ ପ୍ରାୟ ୧୦ଲକ୍ଷ ଭକ୍ତଙ୍କ ସମାଗମ ହେବ । ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ପ୍ରଶାସନ ନିଷ୍ପତି ଗ୍ରହଣ କରିଛି । ରଥଯାତ୍ରା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଏବଂ ଏକ୍ଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନେଇ ଏକ ସମନ୍ୱୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥ ସୁରକ୍ଷା, ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଏବଂ ଯାନବାହାନ ଚଳାଚଳ କଟକଣା ସମ୍ପର୍କରେ ସେଥିରେ ଆଲୋଚନା କରାଯାଇଛି । ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରା ଅପେକ୍ଷା ସୁନାବେଶ ଦେଖିବାକୁ ଅଧିକ ଭକ୍ତ ଆସିବା ସମ୍ଭାବନା ରହିଛି । ତେଣୁ ବଡ଼ଦାଣ୍ଡରେ ଦଳାଚକଟା ଏଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବିଭିନ୍ନ ସ୍ଥାନରେ ତ୍ୱରିତ ଉଦ୍ଧାରକାରୀ ଦଳ (କୁଇକ୍ ରେସପନ୍ସ ଟିମ) ନିୟୋଜିତ କରାଯିବ । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି । ରଥଯାତ୍ରା ଦାୟିତ୍ୱରେ ଥିବା ଅଫିସରଙ୍କ ପାଇଁ ଏସ୍ଓପି ଜାରି କରାଯାଇଛି । କୌଣସି ଅଧିକାରୀ କର୍ତବ୍ୟରେ ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ନବମୀ ସନ୍ଧ୍ୟାଦର୍ଶନ, ବାହୁଡାଯାତ୍ରା ଏବଂ ସୁନାବେଶ ପାଇଁ ପୁଲିସ ସ୍ୱତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛି । ରଥଯାତ୍ରା ପାଇଁ ଜିଲା ବାହାରର ୮୧ ପ୍ରଶାସନିକ ଅଧିକାରୀଙ୍କୁ ପୁରୀରେ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇଛି । ରଥଯାତ୍ରା ପରିଚାଳନାରେ ଅଭିଜ୍ଞତା ଥିବା ଶତାଧିକ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଛି । ୧୦ ତାରିଖ ଦିନ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ ରଥଉପରେ ସୁନାବେଶ କରାଯିବ ଏବଂ ୧୧ ତାରିଖରେ ଅଧର ଓ ଗରୁଡ ଶୟନ ନୀତି ହୋଇ ୧୨ ତାରିଖ ଦିନ ନିଳାଦ୍ରୀବିଜେରେ ଠାକୁରମାନେ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ।