ସରିଲା ପହଣ୍ଡି ବିଜେ, ରଥାରୁଢ଼ ତିନି ଠାକୁର
ପୁରୀ : ସରିଲା ପହଣ୍ଡି ବିଜେ । ରଥାରୁଢ଼ ହେଲେ ତିନି ଠାକୁର । ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ସେହିପରି ରଥରେ ଛେରା ପହଁରା କରୁଛନ୍ତି ଗଜପତି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ଼ ହେବାପରେ ବଡ଼ ଠାକୁର ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ, ପରେ ପହଣ୍ଡିରେ ଆସି ଦେବଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଦେଇ ବାହାରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହେବା ପରେ ୩ ରଥ ଶୋଭା ବଢ଼ିଯାଇଛି ।
ଘଣ୍ଟ ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଭଗବାନଙ୍କ ଆଗମନରେ ଦେବଦେବୀଙ୍କ ରୂପ ଧାରଣ କରି ବଡ଼ଦାଣ୍ଡରେ ନାଚୁଛନ୍ତି ଭକ୍ତ । ବର୍ଷାରେ ଖାତିର ନକରି କାଳିଆର ଶ୍ରୀମୁଖ ଦର୍ଶନ କରିବାକୁ ବଡ଼ଦାଣ୍ଡ ରେ ରୁଣ୍ଡ ହୋଇଛନ୍ତି ଶ୍ରଦ୍ଧାଳୁ । ବର୍ଷାରେ ଭିଜି ଭିଜି କାଳିଆର ଆଖି ସହ ଆଖି ମିଶାଇ ଆହେ ନୀଳ ଶୈଳ ଗାଉଛନ୍ତି ଭକ୍ତ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଗମନରେ ଆଜି ପୂରି ଉଠିଛି ବଡ଼ଦାଣ୍ଡ । ୩ ରଥରେ ୩ ଠାକୁର ଦେଖି ଆଖି , ମନ ପୁରିଯାଉଛି । ଗୁଣ୍ଡିଚା ମନ୍ଦିର ପରିସରରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଘଣ୍ଟାଘଣ୍ଟା, କାହାଳି ଶବ୍ଦରେ ଚତୁର୍ଦ୍ଦିଗ କମ୍ପି ଉଠୁଛି । ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କର ସମସ୍ତ ବାହୁଡ଼ା ନୀତିକାନ୍ତି ଶୃଙ୍ଖଳିତ ଭାବରେ ଚାଲିଛି । ଭୋର୍ ୪ ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ଠାରୁ ୩ ଘଣ୍ଟା ଆଗୁଆ ସବୁ ନୀତିକାନ୍ତି ଚାଲିଛି । ଛେରାପହଁରା ନୀତି ଆରମ୍ଭ ହୋଇସାରିଛି । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି ।
ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। କୋଭିଡ୍ କଟକଣା ଯୋଗୁ ଗତ ଦୁଇ ବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଚଳିତ ବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବା । ଏହାକୁ ଦୃଷ୍ଟିରେ ରଖି ରାତି ଗୋଟାଏ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ତମାମ ବ୍ୟବସ୍ଥା କରାଯାଇଛି ।