ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ଚତୁର୍ଥ ଟି୨୦, ଫ୍ଲୋରିଡାରେ ଖେଳାଯିବ ମ୍ୟାଚ୍
![](https://thetruths.in/wp-content/uploads/2023/08/ind-vs-wi-2nd-t20.jpg)
ଲୌଡରହିଲ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର କାରଭାନ ବର୍ତ୍ତମାନ ଆମେରିକାର ଫ୍ଲୋରିଡା ସହରରେ ପହଞ୍ଚିଛି। ତେବେ ଚତୁର୍ଥ ଟି -୨୦ ମ୍ୟାଚ ଫ୍ଲୋରିଡାର ଲାଉଡର୍ହିଲ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜର ପ୍ରଥମ ୩ ମ୍ୟାଚରେ ଇଣ୍ଡିଜ ଦଳ ୨ଟି ଜିତିଥିବା ବେଳେ ଭାରତ ତୃତୀୟ ଟି -୨୦ ମ୍ୟାଚରେ ୭ ଉଇକେଟ୍ରେ ବିଜୟ ହାସଲ କରିଛି। ଭାରତ ତୃତୀୟ ମ୍ୟାଚ ଜିତିବାରୁ ଓ୍ବେଷ୍ଟଇଣ୍ଡିଜ ୨-୧ରେ ସିରିଜ ଅଗ୍ରଣୀ ରହିଛି। ତେଣୁ ଭାରତ ଚତୁର୍ଥ ମ୍ୟାଚ୍ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବା ଲକ୍ଷ୍ୟରେ ରହିଛି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ଚତୁର୍ଥ ଟି -୨୦ ମ୍ୟାଚ ଜିତିବାକୁ ଭଲ ସୁଯୋଗ ରହିଛି। ଚତୁର୍ଥ ଟି -୨୦ ମ୍ୟାଚରେ ଇଶାନ କିଷନ ପୁନର୍ବାର ଦଳକୁ ଫେରିଥିବାର ଦେଖିବାକୁ ମିଳିବ, ଯେଉଁ ସ୍ଥାନରେ ଯଶସ୍ବୀ ଜୟସ୍ବାଲଙ୍କୁ ତୃତୀୟ ଟି -୨୦ରେ ସୁଯୋଗ ଦିଆଯାଇଥିଲା। ଏହା ବ୍ୟତୀତ ୱିଣ୍ଡିଜ ଦଳରେ ଜେସନ ହୋଲ୍ଡରଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିପାରେ।
ତୃତୀୟ ଟି୨୦ରେ ଇଶାନ କିଶନଙ୍କୁ ବିଶ୍ରାମ ଦିଆଯାଇ ଯଶସ୍ବୀ ଜୟସ୍ବାଲଙ୍କୁ ଡେବ୍ୟୁ ସୁଯୋଗ ମିଳିଥିଲା। ମାତ୍ର ଜୟସ୍ବାଲ ୬ ରନ୍ କରି ପ୍ରଥମ ଓଭରରେ ହିଁ ଆଉଟ ହୋଇଥିଲେ। ପ୍ରଥମ ୨ଟି ମ୍ୟାଚରେ କିଶନ ଓ ଶୁବମନ ଗିଲ୍ ପ୍ରଥମ ଉଇକେଟରେ ଯଥାକ୍ରମେ ୫ ଓ ୧୬ ରନ୍ କରିପାରିଥିଲେ। ଫଳରେ ମିଡିଲ ଅର୍ଡରଙ୍କ ଉପରେ ଚାପ ପଡ଼ିଥିଲା। ଚତୁର୍ଥ ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିବାବେଳେ କିଶନ ଚୂଡ଼ାନ୍ତ ଦଳକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାର ବାକି ରହିଛି। ପୂର୍ବ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ତିଳକ ବର୍ମା ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମାତ୍ର ଭାରତର ଓପନିଂ କ୍ରମାଗତ ବିଫଳ ହୋଇଛି। ଏହା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି।
ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମ ପିଚ୍ ସାଧାରଣତଃ ବ୍ୟାଟରଙ୍କୁ ସୁହାଇଥାଏ। ମ୍ୟାଚ ଆଗେଇବା ସହ ଧିମା ହୋଇ ଯାଇଥାଏ। ତେଣୁ ଏଠାରେ ଅନୁଷ୍ଠିତ ୧୩ ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧ଟିରେ ବିଜୟୀ ହୋଇଛି। ଓ୍ବେଷ୍ଟଇଣ୍ଡିଜ ସୁଯୋଗ ଅପେକ୍ଷାରେ ରହିଛି। ୨୦୧୬ ପରେ ପ୍ରଥମଥର ପାଇଁ ଭାରତ ବିପକ୍ଷରେ ସିରିଜ ବିଜୟକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ତେଣୁ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହେବ।