ଆଜି ପବିତ୍ର ମାଣବସା : ଝୋଟି ଚିତାରେ ଝଟକୁଛନ୍ତି ମା’ ଲକ୍ଷ୍ମୀ, ପିଠାପଣା ବାସ୍ନାରେ ମହକୁଛି ଗାଁ ଦାଣ୍ଡ
![](https://thetruths.in/wp-content/uploads/2023/11/Manabasa-Gurubar.jpg)
ଆଜି ମାର୍ଗଶିର ପ୍ରଥମ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ନାରୀ ଶକ୍ତିର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ ।
ପ୍ରତିବର୍ଷ ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଥାଏ। ମାର୍ଗଶିର ମାସର ପ୍ରତି ଗୁରୁବାର ମା’ ଲକ୍ଷ୍ମୀଙ୍କର ଏହି ପୂଜା ବେଶ୍ ଆନନ୍ଦର ସହ ପାଳନ କରାଯାଇଥାଏ । ପରିବାରକୁ ଦୁଃଖ ଦାରିଦ୍ର୍ୟରୁ ରକ୍ଷା କରିବା ଓ ଧନ୍ୟଧାନ୍ୟରେ ପରିପୂର୍ଣ୍ଣ କରିବା ଲାଗି ମା’ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ପ୍ରତିଟି ଓଡ଼ିଆଣୀ । ମା’ଙ୍କ ମାଣବସା ଓସା ପାଇଁ ପୂର୍ବଦିନ ରାତ୍ରୀରୁ ଗୃହଣୀ ମାନେ ଘରଦ୍ୱାର ଲିପା ପୋଛା କରି ନୂଆ ଚାଉଳ ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କିଥାନ୍ତି । ନାନା ରକମର ଭୋଗ ଲଗାଇ ମା’ଙ୍କର ଆରାଧନା କରାଯାଏ। ମା’ଙ୍କର କୃପା ଟିକେ ପଡିଲେ ଗରିବ ଲୋକ ବି ଧନୀ ହୋଇଯାଏ।
ଓଡ଼ିଆ ଘରେ ମାଣବସା ଗୁରୁବାରର ବିଶେଷ ମହତ୍ବ ରହିଛି । ଆମ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏହି ମାଣବସା ପୂଜା । ବଡଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ପାରିବାରିକ ସମ୍ପର୍କକୁ ନେଇ ମାଣବସା ଗୁରୁବାର ପୂଜା କରାଯାଇଥାଏ । ଧନ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଓଡ଼ିଆ ଘରର ବୋହୂ । ସିନ୍ଦୁରା ଫାଟିବା ପୂର୍ବରୁ ଘରର ମହିଳାମାନେ ଉଠି ନିତ୍ୟକର୍ମ ସାରିବା ପରେ ଗୋବର ପବିତ୍ର ଜଳରେ ଘର ଦାଣ୍ଡ ପରିଷ୍କାର କରିବା ପରେ ଗାଧୋଇ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ନୂଆ ଧାନରେ କେନ୍ଦା କରି, ମାଣରେ ସିନ୍ଦୁର ଓ କଉଡିରେ ମାଆଙ୍କ ପ୍ରତୀମା ପ୍ରସ୍ତୁତ କରି କାଠ ଖଠୁଲିରେ ମାଆଙ୍କ ପୂଜା କରାଯାଉଛି । ପିଠାପଣା, ସହ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ଗାଁ ଦାଣ୍ଡ ।