ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ନୀତି । ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଅପହରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ଫଳରେ ଭକ୍ତମାନେ ଦିର୍ଘ ୪ ଘଣ୍ଟା ଧରି ଜଗା ଦର୍ଶନରୁ ବଞ୍ଚିତ ହେବେ। ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି କରାଯିବ।
ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା । ପତି ମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଏହି ଚିତା ଲାଗି କରିବେ । ମହାପ୍ରଭୁ ଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ । ସ୍ନାନପୂର୍ଣ୍ଣମୀରେ ସ୍ନାନ ପରେ ମହାପ୍ରଭୁ ଅଣସର ଘରେ ଥିଲେ। ସେହି ସମୟରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ଚିତା ଗୁଡିକୁ କାଢ଼ି ନିଆଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ହୀରା ଖଚିତ ଚିତା ଲାଗି କରାଯିବ । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩୦୦ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।
ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି କୁହାଯାଏ। ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥିପାଇଁ ଏହାକୁ “ଗେଣ୍ଡେଇକଟା ଓଷା” ବୋଲି କୁହାଯାଏ । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଥିବାରୁ ଗୋଡକୁ କାଟି ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏଣୁ ଏଥିରୁ ବର୍ତ୍ତିବା ପାଇଁ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।