ବାଲେଶ୍ୱର : ୩୭୩ ସଂକ୍ରମିତ ଓ ୧୦୧ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ବାଲେଶ୍ୱର ଜିଲା ବିଭିନ୍ନ ଅଂଚଳରୁ ୩୭୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ପୁରୁଣା ବାଲେଶ୍ୱରରୁ ୪ଜଣ, ଭାସ୍କରଗଞ୍ଜରୁ ୩ଜଣ, ସହଦେବଖୁଂଟାରୁ ୨ଜଣ, ହସପିଟାଲ ରୋଡରୁ ୨ଜଣଙ୍କ ସମେତ ଆଜିମାବାଦ, ମାନସିଂବଜାର, ନୂଆବଜାର, ସୁନହଟ, ତେଲେଙ୍ଗାସାହି ପ୍ରଭୃତି ଅଂଚଳରୁ ଜଣେ ଲେଖାଏଁ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୩୪ଜଣ, ବାଲିଆପାଳ ବ୍ଲକରୁ ୧୬ଜଣ, ବସ୍ତା ବ୍ଲକରୁ ୧୯ଜଣ, ଭୋଗରାଇ ବ୍ଲକରୁ ୮୨ଜଣ, ଜଳେଶ୍ୱର ବ୍ଲକରୁ ୯ଜଣ, ଖଇରା ବ୍ଲକରୁ ୭ଜଣ, ନୀଳଗିରିରୁ ୨୮ଜଣ, ଔପଦା ବ୍ଲକରୁ ୧୦ଜଣ, ରେମୁଣା ବ୍ଲକରୁ ୧୨ଜଣ, ସଦର ବ୍ଲକରୁ ୪୩ଜଣ, ସିମୁଳିଆ ବ୍ଲକରୁ ୧୯ଜଣ ଓ ସୋର ବ୍ଲକରୁ ୭୭ଜଣ ବ୍ୟକ୍ତି ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତରେ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସୂଚନା ଯେ, ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୭,୨୭୩ରେ ପହଂଚିଥିବା ବେଳେ ଏବେ ସୁଦ୍ଧା ୨୩,୫୯୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏବେ ସକ୍ରିୟ ଥିବା ୩,୫୬୫ ଜଣ କରୋନା ଆକ୍ରାନ୍ତ ଗୃହ ସଙ୍ଗରୋଧ ସମେତ ଦୁଇଗୋଟି କୋଭିଡ ଡାକ୍ତରଖାନା ଓ ୩ ଗୋଟି କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଂଟା ଜଣେ ୩୦ ବର୍ଷର କୋଭିଡ ଆକ୍ରାନ୍ତଙ୍କର ମୃତୁ ହୋଇଥିବା ବେଳେ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୫ରେ ପହଂଚିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ୧୮ରୁ ୪୪ ବର୍ଷ ବୟସର ଯୁବବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ବାଲେଶ୍ୱର ସହରର ୮ ଗୋଟି କେନ୍ଦ୍ରରେ ୨୮ ଶହ ଯୁବକ ଯୁବତୀଙ୍କୁ ପ୍ରଥମ ପାନ ଟିକା ପ୍ରଦାନ ଦିଆଯାଇଥିବା ଜଣାପଡ଼ିଛି ।