ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ! କିମ୍ବଦନ୍ତୀ ଓ କାହାଣୀର ମହାନାୟକ ବିଜୁ ବାବୁ
ବିଜୁଦା, ବିଜୁ ପଟ୍ଟନାୟକ ଓ ବିଜୁ ବାବୁ ଏହିପରି କିଛି ନାମରେ ପରିଚିତ ଥିଲେ ଅନେକ କିମ୍ବଦନ୍ତୀ କାହାଣୀର ସ୍ରଷ୍ଟା ମହାନାୟକ ପ୍ରଖ୍ୟାତ ସ୍ୱାଭିମାନୀ ରାଜନେତା ବିଜୁବାବୁ । ସେ ଥିଲେ ଏପରି ଜଣେ ଚରିତ୍ର ଯିଏକି ଭୂମିରୁ ଭୂମା ପର୍ଯ୍ୟନ୍ତ ଥିଲା ତାଙ୍କ ବ୍ୟକ୍ତିତ୍ୱ । କେବଳ ଓଡ଼ିଶାର ଘରେ ଘରେ ନୁହେଁ ବା ଭାରତର ରାଜନୀତି କ୍ଷେତ୍ରରେ ନୁହେଁ ବିଶ୍ୱ ଇତିହାସରେ ବିଜୁ ବାବୁ ଜଣେ ଏପରି ନାମ ଯାହାଙ୍କ ଉପରେ ଏବେ ବି ଚର୍ଚ୍ଚା, ଆଲୋଚନା, ବିଶ୍ଲେଷଣ ଓ ଗବେଷଣା ଚାଲୁ ରହିଛି । ସେ ଥିଲେ ଜଣେ ବିନ୍ଦାସ ଓ ଖୋଲାମେଲା ଚରିତ୍ରର ଅଦ୍ଭୁତପୂର୍ବ ବ୍ୟକ୍ତିତ୍ୱ ।
ପିଲାଦିନରୁ ଦୃଢ଼ ସାହାସୀ, ଖୋଲା ଖର୍ଚ୍ଚୀ, ରୋକଠୋକ କଥା ଯାହାକି ତାଙ୍କ ତମାମ ଜୀବନକୁ ସଫଳତା ଦେଇଛି ଆଉ ବିଫଳତାର କାହାଣୀ ବି ଲେଖିଛି । ଅଜଣା ମୂଲକର ଜଣେ ମାମୁଲି ଆଦିବାସୀ ମହିଳାଙ୍କୁ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେବା ହେଉ ବା କେନ୍ଦ୍ର ରାଜ୍ୟର ସମ୍ପର୍କ ସ୍ୱାଭିମାନରେ ମୁଁ ପାହାଡ଼ ବିକି ଦେଇ ରାଜ୍ୟ ଚଳେଇ ନେବି ପରି ବିତର୍କିତ ମନ୍ତବ୍ୟ ହେଉ ବା ଓଡ଼ିଆ ଟୋକା ସବୁବେଳେ ଖାଂଟି ଓଡ଼ିଆ ହୁଅ ରୋକଠୋକ ଜବାବ ଦେଇ ସେ ପାଲଟିଥିଲେ ଜଣେ ନିର୍ଭିକ ବ୍ୟକ୍ତିତ୍ୱ ।
ଆଜିକାର ରାଜନେତାମାନେ ରାଜନୀତି ପାଇଁ କୋଠି କରୁଛନ୍ତି କିନ୍ତୁ ସେ ରାଜନୀତି ପାଇଁ ନିଜ କୋଠା ବିକ୍ରି କରିଦେଇଥିଲେ । ଯେତେବେଳେ ଯିଏ ବି ତାଙ୍କୁ ହାତ ପାତିଛି ପକେଟରୁ ପଇସା କାଢ଼ି ସବୁ ଅର୍ଥ ତା ହାତକୁ ଦେଇଛନ୍ତି । ଏକ ମଂଚରେ ଜଣେ ଉଦଭ୍ରାନ୍ତ ଯୁବକ ସର୍ବ ସମ୍ମୁଖରେ ଚାପୁଡ଼ା ମାରିଥିଲେ କିନ୍ତୁ ସେ ତାଙ୍କୁ ଦଣ୍ଡିତ ନକରି ଇଏ ବିଜୁକୁ ହାତ ଉଠାଇଛି ମାନେ ତାକୁ ପୁରସ୍କାର ଦେଇଥିଲେ ଏଭଳି ରାଜନେତା ଆଉ କ\’ଣ ମିଳିବେ? ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ବିରୋଧ କରିବା ପାଇଁ ଯାଇଥିବା ଚାଷୀଙ୍କୁ ରାସ୍ତା ଉପରେ ଡାକି ଆଲୋଚନା କରି ସମାଧାନ କରିଥିଲେ ସେମାନଙ୍କର ଦୁଃଖ । ଏହି ଲେଖକ ଛାତ୍ର ରାଜନୀତି କରୁଥିବାବେଳେ ବିଜୁ ବାବୁଙ୍କ ଘନିଷ୍ଠତାର କିଛି ମୁହୂର୍ତ ପାଇଥିଲେ ।
ଯାହାଙ୍କ ନାମରେ ଗଠିତ ବିଜୁ ଜନତା ଦଳ ଆଜି ଭାରତୀୟ ରାଜନୀତିରେ ଏକ ପ୍ରଭାବୀ ଓ ଦୃଢ଼ ନେତୃତ୍ୱପୂର୍ଣ୍ଣ ଆଂଚଳିକ ଦଳ ଭାବେ ମୁଣ୍ଡ ଟେକିଛି ଯାହା ଆଗରେ ଜାତୀୟ ଦଳମାନେ ଏକ ପ୍ରକାର ମୁଣ୍ଡ ନୋଇଁବାକୁ ବାଧ୍ୟ ହୋଇଛନ୍ତି । ଇଏ ଥିଲେ ସେହି ବିଜୁ ଯିଏ କି ତାଙ୍କ ସମୟରେ ଓ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କୁ ହାତଯୋଡ଼ି ସମ୍ମାନ ଜଣାନ୍ତି ନାହିଁ । ବେସାଲିସ, ରୋକଠୋକ କଥା କୁହନ୍ତି । ସେ ସ୍ୱର୍ଗତ ଜ୍ୟୋତିବସୁ ହୁଅନ୍ତୁ ବା ଦେବଗୌଡ଼ା, ଭି.ପି.ସିଂହ ହୁଅନ୍ତୁ ବା ଲାଲୁପ୍ରସାଦ ଯାଦବ, ବାଜପେୟୀ ହୁଅନ୍ତୁ ବା ଆଡ଼ଭାନୀ, ସୁରଜିତ ସିଂହ ବର୍ଣ୍ଣାଲ ହୁଅନ୍ତୁ ବା ନମ୍ରୁଦି ପଦ ସମସ୍ତଙ୍କ ସହ ସେ ବେଶ ଖୋଲା ସମ୍ପର୍କ ରଖିଥିଲେ ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ସାହସୀ, ସ୍ୱାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ମହାନ ନେତାଙ୍କ ମଧ୍ୟରେ ସେ ଅନ୍ୟତମ । ଶୈଶବରୁ ସେ ଥିଲେ ଦୁଃସାହସୀ । ତାଙ୍କର ଦୁଃସାହସ ସଂପର୍କିତ କେତୋଟି ଘଟନା ସଂକ୍ଷେପରେ ଜାଣିବା ହେଉ । ଥରେ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଲା । ବନ୍ୟା ଆସିଲେ ଉତ୍କଳ ମଣି ଗୋପବନ୍ଧୁ ବିପନ୍ନଙ୍କୁ ସହାୟତା ଯୋଗାଇବା ପାଇଁ ଡଙ୍ଗାରେ ଚୁଡ଼ା, ଚାଉଳ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ବାହାରିପଡ଼ନ୍ତି । ଥରେ ସେ ବରୀ ଅଂଚଳକୁ ବାହାରିଲେ । ସଙ୍ଗରେ ଥିଲେ ବାର ବର୍ଷ ବୟସ୍କ ବିଜୁଙ୍କ ସହ ଆଉ କିଛି ଛାତ୍ର । ଉଚ୍ଛୁଳା ନଦୀ, ମଝିରେ ମଝିରେ ଜୋରରେ ପବନ ବୋହୁଥାଏ । ଖରାରୁ ରକ୍ଷା ପାଇବା ପାଇଁ ଗୋପବନ୍ଧୁ ଛତା ଧରି ବସିଥାନ୍ତି ଡଙ୍ଗାର ମଙ୍ଗରେ । ହଠାତ୍ ପବନ ମାଡ଼ରେ ତାଙ୍କ ହାତରୁ ଛତାଟି ଖସିଯାଇ ପଡ଼ିଲା ପାଣିରେ ଏବଂ ଭାସି ଚାଲିଲା ସୁଅରେ । ତାହା ଦେଖି, କେହି କିଛି ବୁଝିବା ପୂର୍ବରୁ ଭରା ନଦୀ ଗର୍ଭକୁ ଲମ୍ଫ ଦେଇଥିଲେ ବିଜୁ । କିଛି ସମୟ ପରେ ଛତା ଧରି ଫେରିଥିଲେ ଡଙ୍ଗାକୁ । ତାଙ୍କ ଦୁଃସାହାସ ଦେଖି ସେ ଦିନ ଚମତ୍କୃତ ହୋଇଥିଲେ ଗୋପବନ୍ଧୁ ଏବଂ ଦିନେ ଓଡ଼ିଆ ଜାତିର ଟେକ ରଖିବୁ କହି ଆଶୀର୍ବାଦ କରିଥିଲେ ।
୧୯୨୬ର କଥା । ମହାତ୍ମା ଗାନ୍ଧୀ କଟକ ଆସିଥାଆନ୍ତି । ବାଳକ ବିଜୁଙ୍କ ଇଛା ଗାନ୍ଧିଜୀଙ୍କୁ ଭେଟିବେ । ହେଲେ ପୁଲିସ୍ ଛାଡୁ ନଥାଏ । ଡେଙ୍ଗା-ପତଳା ବିଜୁ ଭିଡ ଠେଲି ମାଡ଼ିଚାଲିଲେ ଆଗକୁ ଗୋରା ପୁଲିସ୍ଙ୍କ ଲାଠିକୁ ଖାତିର୍ ନକରି । ଉପସ୍ଥିତ ପୁଲିସ ବାବୁ ରାଗିଯାଇ ଲାଠିରେ ତାଙ୍କ ମୁଣ୍ଡକୁ ପାହାରେ ପକାଇଲେ । ମୁଣ୍ଡରୁ ବୋହିଗଲା ଝର ଝର ଲହୁ । ହେଲେ ଭୟ ନକରି ଗାନ୍ଧିଜୀଙ୍କ ପାଖରେ ପହଂଚିଗଲେ ବିଜୁ । ଗାନ୍ଧୀ ମହାତ୍ମା ପୁଲିସ ବାବୁଙ୍କୁ ଭତ୍ସର୍ନା କରିବା ସହ ବିଜୁଙ୍କ ମୁଣ୍ଡରୁ ରକ୍ତ ପୋଛି ଆଶୀର୍ବାଦ ଦେଇଥିଲେ ।
ପ୍ରଥମ ମହାଯୁଦ୍ଧ ପରବର୍ତୀ ସମୟର ଘଟନା । ବାଲିଯାତ୍ରା ପଡ଼ିଆରେ ପ୍ରଥମଥର ପାଇଁ ବିମାନଟିଏ ଅବତରଣ କରିଥାଏ । ବିମାନ ଦେଖିବା ଲାଗି ନାହିଁ ନଥିବା ଭିଡ । ବିଜୁଙ୍କ ଇଛା ପାଖରୁ ଦେଖିବେ । ପୁଲିସ୍କୁ ନମାନି, ବାଡ଼ ଭାଙ୍ଗି ବିମାନ ନିକଟରେ ପହଂଚି ପାରିଥିଲେ । ପରିଣାମ ସ୍ୱରୂପ ପିଠିରେ ପଡ଼ିଥିଲା ଲାଠି ପାହାର । ସେହି ଦିନ ପ୍ରତିଜ୍ଞା କରିଥିଲେ ବୈମାନିକ ହେବେ, ଆଉ ହୋଇଥିଲେ ମଧ୍ୟ । ଏମିତି ସେମିତି ବୈମାନିକ ନୁହେଁ ବହୁତ କିଛି କରିବାର ସାମର୍ଥ୍ୟ ରଖିଥିବା ବୈମାନିକ । ପଣ୍ଡିତ ନେହେରୁଙ୍କ ନିର୍ଦ୍ଦେଶରେ ଇଣ୍ଡୋନେସିଆରୁ ସେଠାକାର ପ୍ରଧାନମନ୍ତ୍ରୀ ସହରିର୍ଙ୍କୁ ଡଚ୍ ବାହିନୀ କବଳରୁ ଖସାଇ ବିମାନରେ ନେଇ ଆସିଥିଲେ ନୂଆଦିଲ୍ଲୀ । ସହଯୋଗୀ ଭାବେ ସାଙ୍ଗରେ ଯାଇଥିଲେ ପତ୍ନୀ ଜ୍ଞାନ ଦେବୀ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ସେଠାକାର ସର୍ବୋଚ୍ଚ ଉପାଧି ଭୂମିପୁତ୍ରରେ ସମ୍ମାନିତ କରାଯାଇଥିଲା ।
୧୯୪୬ରୁ ବିଜୁବାବୁଙ୍କ ରାଜନୈତିକ ଜୀବନର ଯାତ୍ରା ଯେମିତି ଆରମ୍ଭ ହୋଇଥିଲା । ସେଂଟ୍ରାଲ କଟକସଦର ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୨ ପର୍ଯ୍ୟନ୍ତ ଏହାର ସଦସ୍ୟ ଥିଲେ । ପରେ ୧୯୫୨ରେ ଜଗନ୍ନାଥପ୍ରସାଦ ଆସନରୁ, ୧୯୫୭ ରେ ସୋରଡା ଆସନରୁ ଓ ୧୯୬୧ରେ ଚୌଦ୍ୱାର ଆସନରୁ କ୍ରମାଗତ ଭାବେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୧ରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ଉପନିର୍ବାଚନରେ ରାଜନଗର ଆସନରୁ ବିଜୟୀ ହୋଇଥିବା ବେଳେ ୧୯୭୪ରେ ସେହି ଆସନରୁ ପୁଣି ବିଧାନସଭାକୁ ଆସିଥିଲେ । କଟକରୁ ଗଞ୍ଜାମ ଓ ଗଞ୍ଜାମରୁ ପୁଣି କଟକ ହୋଇ କେନ୍ଦ୍ରାପଡ଼ା, ରାଜନୈତିକ ସଫଳତାର ଯାତ୍ରା ରଖିଥିବା ବିଜୁବାବୁ ୧୯୮୦ରେ ଚରଣ ସିଂଙ୍କ ନେତୃତ୍ୱାଧୀନ ଜନତା ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାର ପାଟକୁରା ଆସନରୁ ବିଜୟୀ ହୋଇଥିଲେ । ପରେ ୧୯୮୫, ୧୯୯୦ ଓ ୧୯୯୫ରେ କ୍ରମାଗତ ଭାବେ ତିନିଥର ଜନତା ଦଳର ପ୍ରାର୍ଥୀ ଭାବେ ଭୁବନେଶ୍ୱର ଆସନରୁ ବିଧାନସଭାକୁ ଆସିଥିଲେ । ଏହାରି ଭିତରେ ତାଙ୍କର ସଂସଦ ଅଭିଯାନ ମଧ୍ୟ ଚାଲିଥିଲା । କେନ୍ଦ୍ରରେ ମନ୍ତ୍ରୀ ହେବା ସହିତ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୭୭ରେ ବିଜୁବାବୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ୧୯୮୦ ଓ ୧୯୮୪ରେ ସେହି କେନ୍ଦ୍ରାପଡ଼ା ଆସନରୁ ଲୋକସଭାକୁ ବିଜୟୀ ହୋଇଥିଲେ । ୧୯୯୬ରେ ଉଭୟ ଆସିକା ଓ କଟକ ଲୋକସଭା ଆସନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ପରବର୍ତୀ ସମୟରେ କଟକ ଆସନଟି ଛାଡ଼ି ଦେଇଥିଲେ । ୧୯୪୬ରୁ ୧୯୯୭ ଯାଏଁ ରାଜନୈତିକ ଯାତ୍ରାରେ ବିଜୁବାବୁଙ୍କୁ ଯେତିକି ସଫଳତା ମିଳିଥିଲା ସେତିକି ବିଫଳତା ମଧ୍ୟ ମିଳିଥିଲା । ୧୯୬୧ ମସିହା ଜୁନ୍ ୨୩ ତାରିଖରୁ ୧୯୬୩ ମସିହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେ ପ୍ରଥମ ଦଫାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦ୍ୱିତୀୟବାର କ୍ଷମତାକୁ ଆସିବା ପାଇଁ ତାଙ୍କୁ ଦୀର୍ଘବର୍ଷ ଲାଗିଯାଇଥିଲା । ୧୯୯୦ରେ ସେ ପୁଣି ମୁଖ୍ୟମନ୍ତ୍ରୀ ପଦ ଫେରି ପାଇଥିଲେ । କେନ୍ଦ୍ରରେ ସେ ମନ୍ତ୍ରୀ ହୋଇଥିଲେ ସତ କିନ୍ତୁ ଯେତେବେଳେ ଭାରତର ବର୍ଷର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଆସିଲା ସେତେବେଳେ ସେ ସେଥିରୁ ବଂଚିତ ହୋଇଥିଲେ । ହୋଇପାରେ ବିଧିର ବିଡ଼ମ୍ବନା ଥିଲା । ସେ ପ୍ରଧାନମନ୍ତ୍ରୀ ତିଆରି କରିଥିଲେ । ମାତ୍ର ନିଜେ ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ ।