ଜୁନ୍ ଯାଏଁ ଖରାରୁ ମିଳିବନି ତ୍ରାହି : ଆଇଏମଡି
ଭୁବନେଶ୍ୱର : ରାଜ୍ୟରେ ଏବେଠୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଗକୁ ମଧ୍ୟ ଏହା ଆହୁରି ବଢିବା ସହ ଜନଜୀବନ ଅସ୍ତବ୍ୟସ୍ତ ହେବ । ଆସନ୍ତା ଜୁନ୍ ମାସ ଯାଏଁ ଖରାରୁ ମିଳିବନି ତ୍ରାହି । ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସତର୍କ କରାଇଛି । ତିନି ମାସ ପାଇଁ କରାଯାଇଥିବା ଏହି ଆକଳନ ସୂଚାଉଛି ଯେ ଏବର୍ଷ ସାଧାରଣ ତାପମାତ୍ରା ଠାରୁ ଓଡ଼ିଶାରେ ୦.୩୫ ଡିଗ୍ରି ସେଲସିୟସ୍ ଅଧିକ ରହିବ। ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ ଏବର୍ଷ ଓଡ଼ିଶା ସିଝିବ। ଗତମାସରେ ଆଇଏମ୍ଡି କରିଥିବା ପୂର୍ବାନୁମାନ ଅନୁସାରେ ମାର୍ଚ୍ଚ ଶେଷ ସପ୍ତାହରୁ ଗ୍ରୀଷ୍ମର ପ୍ରଖରତା ଅନୁଭୂତ ହେଉଛି।
ଗ୍ରୀଷ୍ମ ଋତୁ ପାଇଁ ଆଇ.ଏମ.ଡି ଜାରି କରିଥିବା ଆଲର୍ଟ ଅନୁସାରେ, ଏହି ୩ ରାଜ୍ୟରେ ସାଧାରଣ ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ। ଏହି ୩ ରାଜ୍ୟ ସହିତ ଉତ୍ତର, ଉତ୍ତର ପଶ୍ଚିମ ସହିତ ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଯେତେବେଳେ କି ଦକ୍ଷିଣ ଅନ୍ତରୀପ ଅଞ୍ଚଳ, ଜାମ୍ମୁ ଓ କାଶ୍ମୀର, ଲଦାଖ, ପଶ୍ଚିମବଙ୍ଗ ଓ ଆସାମରେ ଉଚ୍ଚତମ ତାପମାତ୍ରା ସାଧାରଣରୁ କମ ଅନୁଭୂତ ହେବ।ଏଥିସହିତ ସାମୁଦ୍ରିକ ଉପରି ଭାଗର ତାପମାତ୍ରା ସାଧାରଣରୁ କମ ରହୁଥିବାରୁ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଲା ନିନା ସୃଷ୍ଟି ହୋଇପାରେ। ଯାହାର ପ୍ରଭାବ ଭାରତରେ ଗ୍ରୀଷ୍ମ ପ୍ରଭାହ ଉପରେ ଅନୁଭୂତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଗ୍ରୀଷ୍ମ ଏବଂ ଶୀତ ଦିନ ପାଇଁ ତ୍ରୈମାସିକ ଆଲର୍ଟ ଜାରି କରିଥାଏ। ପୂର୍ବରୁ ମାର୍ଚ୍ଚରୁ ମେ ମାସ ପାଇଁ ଆଇ.ଏମ.ଡି ଆଲର୍ଟ ଜାରି କରିଥିବା ବେଳେ, ଏଥର ଏପ୍ରିଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଆଲର୍ଟ ଜାରି କରିଛି। ସୂଚନା ଯେ, ଓଡ଼ିଶା ହିଟ୍ୱେଭ୍ ପ୍ରବଣ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ୧୯୯୮, ୨୦୦୧, ୨୦୦୩, ୨୦୦୫ ଆଦି ବର୍ଷମାନଙ୍କରେ ରାଜ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ଦେଖିଛି। ହେଲେ ଏଥର ଟିକେ ସ୍ଥିତି ଆଉ ଅଧିକ ଗମ୍ଭୀର ହୋଇପାରେ। ଅର୍ଥାତ୍ ପ୍ରତିବର୍ଷ ରାଜ୍ୟରେ ୫ରୁ ୬ ଦିନ ହିଟ୍ୱେଭ୍ ସ୍ଥିତି ସୃଷ୍ଟି ହେଉଥିଲା, ଏଥର ଏହି ଦିନର ସଂଖ୍ୟା ବଢ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।