ଆଜି ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଉତ୍କଳ ଦିବସ ଅବସରରେ ରାଜ୍ୟରେ ଲୋକାର୍ପଣ ହେବାକୁ ଯାଉଛି ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି । କଟକରେ ଏହି ପ୍ରତିମୂର୍ତ୍ତିକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ବେଲ ଭ୍ୟୁଠାରେ ନିର୍ମିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ଓସାର ୨୫ ଫୁଟ ଓ ଉଚ୍ଚତା ୧୨ ଫୁଟ । କଡା ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି । ଏହାସହ କ୍ୟାଣ୍ଟନମେଣ୍ଟ ରୋଡଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୧୯୨୧ ମସିହା ମାର୍ଚ୍ଚ ୨୩ରେ କଟକର କାଠଯୋଡି ନଦୀପଠାରେ ଆୟୋଜନ ହୋଇଥିବା ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ । ସେହି ସମୟର ଏକ ଦୃଶ୍ୟପଟକୁ ନେଇ ତିଆରି ହୋଇଥିବା ଏହି ବିରାଟ ପ୍ରତିମୂର୍ତ୍ତି ନିଶ୍ଚିତରୂପେ କଟକକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।