ବାଲେଶ୍ୱର : ମହାପ୍ରଭୁଙ୍କ ପଟିଦିଅଁ ଅଙ୍କନ ପାଇଁ ସ୍ୱୀକୃତି ନେଲେ ୩ ଶିଳ୍ପୀ
ବାଲେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପଟିଦିଅଁ ଅଙ୍କନ ପାଇଁ ବାଲେଶ୍ୱର ଜିଲାର ୮ଟି ଜଗନ୍ନାଥ ମନ୍ଦିରରୁ ସ୍ୱୀକୃତି ନେଲେ ୩ ଜଣ ଶିଳ୍ପୀ । ଶନିବାର ପୂର୍ବାହ୍ନ ୧୦ଟା ସମୟରେ ରେମୁଣା ଗୋଲେଇ ନିକଟସ୍ଥ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ଶିଳ୍ପୀ କେଶୁଦାସ- ଜଗନ୍ନାଥଙ୍କ ଅନନ୍ତ ନାରାୟଣ, ଅରୁଣ କୁମାର ବାରିକ – ବଳଭଦ୍ରଙ୍କ ଅନନ୍ତ ବାସୁଦେବ ଓ ପ୍ରୀତମ ନାୟକ – ସୁଭଦ୍ରାଙ୍କ ଭୂବନେଶ୍ୱରୀ ଚିତ୍ର ଆଙ୍କିବା ପାଇଁ ମନ୍ଦିରରୁ ବିଧି ପୂର୍ବକ ଚିତ୍ରକର ସ୍ୱୀକୃତି ପ୍ରଦାନ କରାଯାଇଛି ।
ଚଳିତ ବର୍ଷ କୋଭିଡ କଟକଣାକୁ ସମ୍ମାନ ଜଣାଇ ବାଲେଶ୍ୱରର ନୀଳଗିରି ଜଗନ୍ନାଥ ମନ୍ଦିର, ଶାସଙ୍ଗର ଜଗନ୍ନାଥ ମନ୍ଦିର, ମୋତିଗଞ୍ଜ ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଇମାମୀ ନଗର ଶ୍ରୀଜଗନ୍ନାଥ ମନ୍ଦିର, ଜୟଦେବ କସବାର ଜଗନ୍ନାଥ ମନ୍ଦିରକୁ ନ ଯାଇ କେବଳ ଗୋଟିଏ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରୁ ବିଧି ଅନୁଯାୟୀ ସ୍ୱୀକୃତି ଗ୍ରହଣ କରିଥିଲେ । ସେହିପରି ଦୁବଲାଗଡ଼ିର ପତିତପାବନ ଶ୍ରୀ ଜଗନ୍ନାଥ ଓ ଗଣେଶ୍ୱରପୁରର କାଳିଆଛୁଆ ଶ୍ରୀଜଗନ୍ନାଥଙ୍କ ଠାରୁ ପଟିଦିଅଁ ଅନନ୍ତ ନାରାୟଣ ପାଇଁ ଶିଳ୍ପୀ କେଶୁଦାସ ସ୍ୱୀକୃତି ଗ୍ରହଣ କରିଥିଲେ । ମଙ୍ଗଳପୁର ଜଗନ୍ନାଥ ମନ୍ଦିରର ପୂଜକ ଭବାନୀ ଶଙ୍କର ଓତା, ମନ୍ଦିରର ମୁଖ୍ୟ ମନୋରଞ୍ଜନ ସାହୁ, ଜିତମିତ୍ରା ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ଦୁବଲାଗଡିର ପତିତପାବନ ଶ୍ରୀ ଜଗନ୍ନାଥଙ୍କର ପୂଜକ ଆରତୀ ଦାସ ଓ ଗଣେଶ୍ୱରପୁରର କାଳିଆଛୁଆ ଶ୍ରୀଜଗନ୍ନାଥଙ୍କର ପୂଜକ ହରେକୃଷ୍ଣ ବେହେରା ବିଧି ସମ୍ପାଦନ କରିଥିଲେ । ଆସନ୍ତା ଜୁନ୍ ୨୦ରୁ ୨୪ ରିଖ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଗୋଲେଇ ନିକଟସ୍ଥ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ଏକ କଳାତ୍ମକ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ସମ୍ପନ୍ନ ହେବ ।
ସୂଚନା ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା ତଥା ଉତ୍କଳୀୟ ଚିତ୍ରକଳା ଓ ଚିତ୍ରକରଙ୍କର ନିଆରା ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରରେ ବାଲେଶ୍ୱରୀ କଳା କେନ୍ଦ୍ର ଓ ନୋସି କଲଚ୍ୟୁରାଲ ଏକାଦେମିର ମିଳିତ ସହଯୋଗରେ ବାଲେଶ୍ୱରରେ ପ୍ରଥମଥର କରି ଗତ ୨୦୧ରେ୫ ଶ୍ରୀଜଗନ୍ନାଥଙ୍କ ନବକଳେବର ବର୍ଷ ବାମପଦାସ୍ଥ ନୋସି ବିଜନେସ୍ ପାର୍କ ସ୍ଥିତ ଉତ୍କଳା ଶିଳ୍ପଗ୍ରାମରେ ଆରମ୍ଭ ହୋଇଥିଲା ପଟଦିଅଁ ଅଙ୍କନ ଉତ୍ସବ । ଏହି ବିଧି ଓ ପରମ୍ପରା ଅନୁସାରେ ପୁରୀର ପାରମ୍ପାରିକ ଚିତ୍ରକରମାନେ ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ରୂପରେ ଆଙ୍କିବା ପାଇଁ ସ୍ୱୀକୃତି ପାଇଥାନ୍ତି । ଶ୍ରୀମନ୍ଦିର ତରଫରୁ ଚିତ୍ରକରମାନଙ୍କୁ ପାରମ୍ପାରିକ ରୀତିରେ ସ୍ୱୀକୃତି ପ୍ରଦାନ କରାଯାଏ । କପଡ଼ାରେ ପଟି ବା ପଟ ଉପରେ ଦିଅଁ ମାନଙ୍କ ଚିତ୍ର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆଙ୍କି ଅଣସର ସମୟରେ ଜଗନ୍ନାଥ ମନ୍ଦିରରେ ପୂଜା ପାଇଁ ପ୍ରଦାନ କରନ୍ତି ।