ଦିନିକିଆ ବିଶ୍ଵକପ୍-୨୦୨୩ ଜିତିବ ଏହି ଦଳ ? ଭବିଷ୍ୟତବାଣୀ କଲେ ଆରୋନ ଫିଞ୍ଚ୍
![](https://thetruths.in/wp-content/uploads/2023/04/Aaron-Finch.jpg)
ନୂଆଦିଲ୍ଲୀ : ଚଳିତବର୍ଷ ଦିନିକିଆ ବିଶ୍ଵକପ୍ ଭାରତରେ ଖେଳାଯିବ। ମାତ୍ର କିଏ ଚାମ୍ପିଅନ ହେବ ତାକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଲାଣି । ଇତି ମଧ୍ୟରେ ଅଷ୍ଟ୍ରେଲିଆର ସୀମିତ ଓଭର ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଆରୋନ ଫିଞ୍ଚ୍ ଭବିଷ୍ୟତବାଣୀ କରିଛନ୍ତି ଯେ, ବିଶ୍ଵକପ୍ ୨୦୨୩ର ପ୍ରବଳ ଦାବିଦାର କିଏ ? ସେ ତିନୋଟି ଦଳର ନାମ ନେଇଛନ୍ତି ଏବଂ ସବୁଠୁ ପ୍ରବଳ ଦାବିଦାର ଇଂଲଣ୍ଡ ବୋଲି କହିଛନ୍ତି। ଏହା ପଛର କାରଣ ବି ଦର୍ଶାଇଛନ୍ତି ।
ଫିଞ୍ଚ୍ କହିଛନ୍ତି ଯେ, ମୋ ହିସାବରେ ଇଂଲଣ୍ଡ ଦଳ ବିଶ୍ଵକପ୍ ୨୦୨୩ ଜିତିବା ପାଇଁ ପ୍ରବଳ ଦାବିଦାର। ଇଂଲଣ୍ଡ ନିକଟରେ ଆକ୍ରମଣାତ୍ମକ ବ୍ୟାଟରଙ୍କ ଲମ୍ବା ଲାଇନ ରହିଛି। ବୋଲିଂ ବିଭାଗ ବି ବେଶ ସନ୍ତୁଳିତ। ଜୋଫ୍ରା ଆର୍ଚରଙ୍କ ପରି ଘାତକ ବୋଲର ଅଛନ୍ତି। ଦଳରେ ସ୍ପିନରଙ୍କ ଭଲ ବିକଳ୍ପ ମଧ୍ୟ ରହିଛି। ଭାରତ ବି ପ୍ରବଳ ଦାବିଦାର । ଭାରତକୁ ଭାରତରେ ହରାଇବା ସହଜ ନୁହେଁ। ଘରୋଇ ପରିବେଶରେ ଏହି ଦଳ ପରିସ୍ଥିତି ଅନୁଯାୟୀ ବେଶ ଶକ୍ତିଶାଳୀ। ଏମାନଙ୍କ ଖେଳାଳିଙ୍କ ନିକଟରେ ଖେଳିବାର ବେଶ ଅନୁଭବ ରହିଛି। ଅଷ୍ଟ୍ରେଲିଆ ବି ଶକ୍ତିଶାଳୀ ଦଳ। ନିକଟରେ ଏହି ଦଳ ଭାରତ ମାଟିରେ ଦିନିକିଆ ଶୃଙ୍ଖଳା ଜିତିଛି। ମିଚେଲ୍ ମାର୍ଶ ଶୀର୍ଷକ୍ରମରେ ଥିବାରୁ ବ୍ୟାଟିଂକ୍ରମ ବହୁତ ମଜବୁତ ହୋଇଛି। ଏହା ବ୍ୟତୀତ ଆଉ କିଛି ଭଲ ଦଳ ମଧ୍ୟ ରହିଛନ୍ତି। କୌଣସି ଗୋଟିଏ ଦଳକୁ ଚୟନ କରିବା ମୁସ୍କିଲ, ତଥାପି ମୋ ଅନୁସାରେ ଇଂଲଣ୍ଡ ବିଶ୍ଵକପ୍ ଜିତିବାକୁ ପ୍ରବଳ ଦାବିଦାର ବୋଲି କହିଛନ୍ତି।
ସୂଚନା ଯେ, ଭାରତରେ ବିଶ୍ଵକପ୍ ୨୦୨୩ ଖେଳାଯିବ। ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇ ନଭେମ୍ବର ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ଗତ ୩ଟି ବିଶ୍ଵକପ୍କୁ ଦେଖିଲେ ଆୟୋଜକ ଦେଶ ହିଁ ବିଶ୍ଵକପ୍ ଜିତି ଆସୁଛନ୍ତି। ତେଣୁ ଭାରତ ନିକଟରେ ୨୦୧୧ ପରି ସଫଳତା ଦୋହରାଇବାର ଏକପ୍ରକାର ସୁଯୋଗ ରହିଛି ।