କଟକ ସହରରେ କୋହଳ ହେବ ଗୃହ ନିର୍ମାଣ ନିୟମ ସିଡିଏ ପ୍ରଣୟନ କରିବ ନୂତନ ନିୟାମକ
କଟକ : କଟକ ସହରରେ ପୁରୁଣା ଅଣଓସାରିଆ ରାସ୍ତା ଦେଇ ସଂଯୋଗ କରୁଥିବା ଛୋଟ ଛୋଟ ଜମିରେ ନିର୍ମାଣ କାର୍ଯ୍ୟ କରିବା କିଭଳି ସହଜ ହୋଇପାରିବ ଓ ସେଥିପାଇଁ ଆବଶ୍ୟକ ପ୍ଲାନ୍ ମଂଜୁର କରାଯାଇପାରିବ ସେନେଇ ଏକ ନୂତନ ନିୟାମକ ପ୍ରଣୟନ ସକାଶେ ଆଜି ଅପରାହ୍ନରେ କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ପୈାରୋହିତ୍ୟ କରିଥିଲେ । ଏଥିରେ ଏକ ‘ଡ୍ରାଫ୍ଟ ରେଗୁଲେସନ୍’ ପ୍ରସ୍ତୁତ ପାଇଁ ଆଲୋଚନା କରାଯାଇଥିଲା । ପୂର୍ବରୁ ଥିବା ବିଲ୍ଡିଂ ପ୍ଲାନ୍ ନିୟମରେ କେତେକ କୋହଳ ନୀତି ଅବଲମ୍ବନ କରାଯାଇ ସହରବାସୀଙ୍କ ପାଇଁ ଉକ୍ତ ନୂତନ ରେଗୁଲେସନରେ ବିଶେଷ ସୁବିଧା ଉପଲବ୍ଧ କରାଯିବ । ପ୍ରକାଶ ଥାଉକି, କଟକ ସହର ହଜାର ବର୍ଷର ସହର । ଏହି ସହର ଗଳିକନ୍ଦିପୂର୍ଣ୍ଣ ଓ ବସବାସ ବ୍ୟବସ୍ଥା ପ୍ରାୟ ଅଂସଗଠିତ । ଯେଉଁଥିପାଇଁ ସାଧାରଣ ଲୋକେ ଗୃହ ନିର୍ମାଣ ପାଇଁ ନୂତନ ପ୍ଲାନ୍ ସ୍ୱୀକୃତି ପାଇବା ସମ୍ଭବ ହୋଇନଥାଏ । ଏହାକୁ ଦୃଷ୍ଟିରେ ରଖି କର୍ତୃପକ୍ଷଙ୍କ ପକ୍ଷରୁ ପୁରୁଣା ସହରର କୋର୍ ଏରିଆ ଉନ୍ନତିକରଣ ପାଇଁ ‘ସିଡିଏ ପ୍ଲାନିଂ ଆଣ୍ଡ ବିଲ୍ଡିଂ ରେଗୁଲେସନ’ ପ୍ରସ୍ତୁତ କରାଯିବ । ଫଳରେ ସହରରେ ସଂଗଠିତ ବିକାଶର ଭିତିଭୂମି ପ୍ରତିଷ୍ଠା ହୋଇପାରିବ । ବିଶେଷକରି ଏହି ନିୟାମକ ବଳରେ ଚାରିପଟୁ ବନ୍ଦ ଥିବା ଜମିଗୁଡିକର ଏକ ସୁସଂଗଠିତ ଢଙ୍ଗରେ ବ୍ୟବହାର କରାଯାଇପାରିବ । ବିଜୁଭବନରେ ଅନୁଷ୍ଠିତ ଏହି ବୈଠକରେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ପ୍ଲାନିଂ ଆଣ୍ଡ ଡେଭଲପ୍ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅଶୋକ କୁମାର ଶର୍ମା, କର୍ପୋରେଟର ଚନ୍ଦନ ଜେନା ଓ ଅରୁନ୍ଧତି କର, ସିଡିଏ ପ୍ଲାନିଂ ମେମ୍ବର, ଡେଭଲପର୍ସ, ଆର୍କିଟେକ୍ କଲେଜର ଡିନ୍, ରାଜ୍ୟର ମୁଖ୍ୟ ସ୍ଥପତି ପ୍ରମୁଖ ଉପସ୍ଥିତ ଥିଲେ ।