ବଢ଼ୁଛି ଜଳସ୍ତର, ହୀରାକୁଦରେ ଖୋଲିଲା ଆଉ ୫ ଗେଟ୍
ସମ୍ବଲପୁର : ଉପରମୁଣ୍ଡରେ ଫୁଲୁଛି ମହାନଦୀ । ଫଳରେ ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର । ଏହି ପରିପ୍ରେକ୍ଷୀରେ ଆଜି ଖୋଲିଲା ଆଉ ୫ଟି ଗେଟ୍ । ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସିତ ହେଉଛି । ଗତ ଶୁକ୍ରବାର ଦୁଇଟି ପର୍ଯ୍ୟାୟରେ ଖୋଲିଥିଲା ୧୦ଟି ଗେଟ୍ ।
ମହାନଦୀର ତଳମୁଣ୍ଡରେ ବନ୍ୟା ବିପଦ ଟଳିଥିବା ବେଳେ ଉପରମୁଣ୍ଡରେ ଓଡ଼ିଶାର ଟେନସନ୍ ବଢାଇଛି ଛତିଶଗଡ଼ ।ପ୍ରବଳ ବର୍ଷା ପରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିବାରୁ ଉପମୁଣ୍ଡରେ ଫୁଲୁଛି ମହାନଦୀ । ହୀରାକୁଦ ଜଳଭଣ୍ଡାରରେ କ୍ରମାଗତ ବଢୁଛି ଜଳସ୍ତର । ପ୍ରବଳ ମାତ୍ରାରେ ପାଣି ପ୍ରବେଶ କରୁଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦.୫୮ ଫୁଟ୍ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ୍ ବନ୍ୟା ପାଣି । ଏହି ସମୟରେ ୨ ଲକ୍ଷ ୨୩ହଜାର ୬୨୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୧୨ ଫୁଟ୍ ଜାଗା ଖାଲି ରହିଛି । ଉପରମୁଣ୍ଡରୁ ଏକକାଳୀନ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଥିବାରୁ ତାହା ମହାନଦୀକୁ ଫୁଲାଇଛି ।