ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଆଜି
କଟକ : ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ତେବେ ଆଜି ହାଇକୋର୍ଟ ରାୟ ଶୁଣାଇବେ । ଶୁଣାଣି ସମୟରେ ଯୁକ୍ତି ରଖିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ କୋଭିଡ୍ର ଭୟାବହତା କମ୍ ଥିବା ଅଦାଲତଙ୍କୁ ଅବଗତ କରଯାଇଥିଲା। ବାଲୁବଜାର ପୂଜା କମିଟି ୧୫୦୯ ମସିହାରୁ ୮ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରି ଆସୁଛି। ୫ଶହ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଚାଲିଥିବା ପରମ୍ପରା ଭଙ୍ଗା ଯିବା ଉଚିତ ନୁହେଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଆହୁରି ମଧ୍ୟ ଏହି କମିଟି ସୀମିତ ଲୋକଙ୍କ ମଧ୍ୟରେ ବିସର୍ଜନ ବ୍ୟବସ୍ଥା କୃତ୍ରିମ ପୋଖରୀରେ କରିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି। ମା’ଙ୍କର ମୁଖା ଓ ଖଡ଼ମା ପାଞ୍ଚ ଶହ ବର୍ଷର ଓ ଗଣେଶ ପୂଜାଠାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଥିବାରୁ ୮ ଫୁଟ ଉଚ୍ଚତାର ମୂର୍ତ୍ତି କରି ପୂଜା କରିବାକୁ ଅନୁମତି ଦିଆଯାଉ ଓ ସରକାରଙ୍କ ସମସ୍ତ ମାର୍ଗଦର୍ଶିକାକୁ ମାନି ପୂଜା କରିବାକୁ ଯୁକ୍ତି ରଖାଯାଇଥିଲା।
ସୂଚନା ଯେ, ବାଲୁବଜାର ପୂଜା କମିଟି ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ପୂର୍ବ ପରି ମୂର୍ତ୍ତିର ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡାଯାଇଥିଲା । ଏସଆରସିଙ୍କ ବିଜ୍ଞପ୍ତି ଅନୁସାରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲା । ଏବେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ବେଳେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକଣା ଜାରି କରାଯିବା ଉଚିତ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ ଓ ଅନିରୁଦ୍ଧ ସାଙ୍ଗନେରିଆ ମାମଲା ପରିଚାଳନା କରୁଛନ୍ତି।