ଆଜିଠୁ ଭିଡିଓ କନଫରେନ୍ସିଂରେ ହାଇକୋର୍ଟରେ ଶୁଣାଣି
କଟକ : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବଭଳି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇକୋର୍ଟରେ ମାମଲାର ଶୁଣାଣି କରିବାକୁ ନିଷ୍ପତି ନିଆଯାଇଛି । ସୋମବାର ଠାରୁ ସମସ୍ତ କାର୍ଯ୍ୟ ଦିବସରେ ଗୋଟିଏ ଦୁଇଜଣିଆ ଖଣ୍ଡପୀଠ ଓ ୭ଟି ଜଣିକିଆ ବେଂଚରେ ମାମଲା ଶୁଣଣି ହେବ । ଏନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ନୂଆ ମାମଲା ସହିତ ନଥିପତ୍ର ଦାଖଲ ଡ୍ରପ୍ ବକ୍ସ, ଇ-ମେଲ ବା ଇ-ଫାଇଲିଂ ପୋର୍ଟାଲରେ କରାଯାଇପାରିବ । ଦିନ ୧୦ଟା ୩୦ରୁ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ କପି ସେକ୍ସନ ନିକଟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ନୂଆ ମାମଲା ଓ ନଥିପତ୍ର ଦାଖଲ କରାଯାଇପାରିବ । ଫାଇଲର ଉପଯୁ୍କ୍ତ ସାନିଟାଇଜେସନ ସୁନିଶ୍ଚିତ କରିବା ତଥା ସୁରକ୍ଷା ଦୃଷ୍ଟିରୁ ଡ୍ରପ୍ ବକ୍ସ ମାଧ୍ୟମରେ ଦାଖଲ କରା୍ଯାଇଥିବା ମାମଲାର ପଞ୍ଜୀକରଣ ଦାଖଲର ଏକ ଦିନ ପରେ କରାଯିବ । ସେହିପରି ମାମଲା ତାଲିକାଭୁକ୍ତ ପାଇଁ ଦିନ ୧୧ଟା ରୁ ୧୨ ଟା ପର୍ଯ୍ୟନ୍ତ ମେନସନ୍ ମେମୋ ଦାଖଲ କରାଯାଇପାରିବ । ଜରୁରୀ ମାମଲା କ୍ଷେତ୍ରରେ ମୈାଖିକ ଭାବେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ରେଜିଷ୍ଟ୍ରାର ଓ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ମେନସନ୍ କରାଯାଇପାରିବ । ହାଇକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିବ । ହାଇକୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।