ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା କରାନଗଲେ ଦିଲ୍ଲୀରେ ସ୍ଥିତି ଭୟଙ୍କର ହେବ
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଭୟାବହତା ଜାରି ରହିଛି । ହାହାକାର ହେଉଛନ୍ତି ଲୋକେ । ହସ୍ପିଟାଲଗୁଡିକରେ ଅକ୍ସିଜେନ ସଙ୍କଟ ବ୍ୟାପକ ରୁପଧାରଣ କଲାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଳଗାତାର ଭାବେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ।
ଏନେଇ ଗୁରୁବାର ମନୀଷ ସୁସୋଦିଆ ପ୍ରେସମିଟ୍ କରି କହିଛନ୍ତି ଯେ, ‘ଦିଲ୍ଲୀ ହସ୍ପିଟାଲ ଗୁଡିକରେ ଅକ୍ସିଜେନ୍ ସଙ୍କଟ ବ୍ୟାପକ ହେବାରେ ଲାଗିଛି । କିଛି ସମୟ ମଧ୍ୟରେ ଅକ୍ସିଜେନ ଶେଷ ହୋଇଯିବ । ଲୋକମାନଙ୍କ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟ କର ହୋଇଯିବ । ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା କରାନଗଲେ ମୃତ୍ୟୁସଂଖ୍ୟା ବଢିପାରେ । ତେଣୁ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ଏବଂ ତୁରନ୍ତ ଦିଲ୍ଲୀ ହସ୍ପିଟାଲ ଗୁଡିକରେ ଅକ୍ସିଜେନ୍ ପହଞ୍ଚାଇବା ବ୍ୟବସ୍ଥା କରାନ୍ତୁ । ସେହିପରି ଦିଲ୍ଲୀର ଅନେକ ହସ୍ପିଟାଲରେ ଅକ୍ସିଜେନ ଶେଷ ହୋଇଯାଇଛି । ସରକାରଙ୍କ ନିକଟରେ କୌଣସି ବିକଳ୍ପ ମଧ୍ୟ ନାହିଁ । ଦିଲ୍ଲୀ କୋଟାରେ ଥିବା ଅକ୍ସିଜେନକୁ ନେବା ପାଇଁ କିଛି ରାଜ୍ୟ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ସିଜେନ୍ କୋଟା ବଢାଯାଇଥିଲେ ସୁଦ୍ଧା ହରିୟାଣା ଏବଂ ଉତ୍ତର ପ୍ରଦେଶ ସରକାର ଯୋଗାଣକୁ ରୋକିବାକୁ ପ୍ରୟାସ କରୁଛନ୍ତି। ବୁଧବାର ଦିଲ୍ଲୀରେ ୩୭୮ ମେଟ୍ରିକ୍ଟନ୍ ଅକ୍ସିଜେନ ଆବଶ୍ୟକତା ଥିବା ବେଳେ ମିଳିଥିଲା ମାତ୍ର ୧୧୭ ମେଟ୍ରିକ୍ ଟନ୍ । ଦିଲ୍ଲୀରେ ଖୁବ କମ ସମୟ ମଧ୍ୟରେ ଅକ୍ସିଜେନ ପହଞ୍ଚିବା ଆବଶ୍ୟକ । ନଚେତ ଆଗକୁ ସ୍ଥିତି ଭୟଙ୍କର ହେବ । ’