ଗରିବଙ୍କୁ ବାସହୀନ କରୁଥିବା ନବୀନ ସରକାରଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର : ଗରୀବଙ୍କୁ ଘର କରାଇ ନଦେବାକୁ ଷଡଯନ୍ତ୍ର କରୁଛି ବିଜେଡି ସରକାର । କେନ୍ଦ୍ର ସରକାର ଉପରେ ମିଥ୍ୟା ଆରୋପ ଲଗାଇ ଗରୀବ ଲୋକଙ୍କ ପାଇଁ ନିଜେ କୁମ୍ଭୀର ସାଜିଛନ୍ତି ନବୀନ ସରକାର ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟ ସରକାର ଷଡଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ରଖିଛନ୍ତି । ତାଲିକାରେ ଚଂଚକତା କରି ପକ୍କାଘର ଆବଂଟନରେ ଦଳୀୟ କର୍ମୀ ଓ ନେତାଙ୍କ ନାମ ଯୋଡା ଯାଇଛି । ରାଜନୈତିକ ଅସହିଷ୍ଣୁତା କାରଣରୁ ବହୁ ଯୋଗ୍ୟ ହିତାଧିକାରୀ ଚାଳଘରେ ଓ ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା ଘରେ ରହୁଥିବା ସତ୍ୱେ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ସଠିକ୍ ତାଲିକା ପ୍ରସ୍ତୁତ ରାଜ୍ୟ ସରକାରଙ୍କ ଦାୟୀତ୍ୱ ଥିବାବେଳେ ତା ନକରି ଅଯଥାରେ ଲୋକଙ୍କ ଉପରେ ଅଭିଯୋଗ କାର୍ଯ୍ୟ ଲଦି ଦେଇ ଗାଁ ଗାଁରେ ହିଂସା ଓ ଗଣ୍ଡଗୋଳ କରିବାର ଚକ୍ରାନ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ବାଦ୍ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତିରେ ଆବାସ ବାଂଟି ଲକ୍ଷ ଲକ୍ଷ ବାସହୀନଙ୍କୁ ରାଜ୍ୟ ସରକାର ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପକ୍କା ଘର ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ଦ୍ଧିଷ୍ଟ ଗାଇଡଲାଇନ ଜାରୀ କରିଛନ୍ତି । ଗାଇଡଲାଇନକୁ ନମାନି ଦଳୀୟ ଭିତିରେ ଅଯୋଗ୍ୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର । ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ଆକ୍ରୋଶରୁ ମୁକୁଳିବା ପାଇଁ ବିଜେଡି ସାଂସଦ “୧୫ ଲକ୍ଷର ମିଛ କାହାଣୀ”ର ଗପ ଶୁଣାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।