ମାଲିକଙ୍କୁ ହାତୁଡ଼ିରେ ପିଟି ହତ୍ୟା କଲା କର୍ମଚାରୀ
ପୁରୀ : ହାତୁଡିରେ ମାଲିକଙ୍କ ମୁଣ୍ଡ କୁ ପ୍ରହାର କରି ହତ୍ୟା କଲା କର୍ମଚାରୀ । ପୁରୀ ଜିଲ୍ଲା ପିପିଲି ଥାନା ସାତଶଙ୍ଖ ବଜାର ନିକଟରେ ଡାକଘର ପାର୍ଶ୍ୱରେ ଥିବା ଏକ ଘରେ ଗତ ୬ ମାସ ଧରି ଠୋଲା, ଥାଳି ଏବଂ ବଳିତା କମ୍ପାନୀ କରିଥିଲେ ମୃତକ ଦୀପକ ପାଟ୍ଟଶାଣୀ । ଏହି ଛୋଟ କମ୍ପାନୀରେ ୪ରୁ ୫ ଜଣ କାମ କରୁଥିବା ବେଳେ ଦରମାକୁ ନେଇ ମାଲିକ ଦୀପକ ପାଟ୍ଟଶାଣୀ ଏବଂ କର୍ମଚାରୀ ହିରଣ୍ୟ ସାହୁଙ୍କ ମଧ୍ୟରେ ପୂର୍ବରୁ ଅନେକ ବାର ବଚସା ହୋଇଥିଲା । ବୁଧବାର ମଧ୍ୟ ଉଭୟଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ଘୋର ବିବାଦ ଲାଗିଥିଲା । ପୂର୍ବରୁ ଦରମାକୁ ନେଇ ଅନେକ ବାର ବିବାଦ ଦେଖା ଦେଇଥିବା ବେଳେ ପ୍ରାପ୍ୟ ପାରିଶ୍ରମିକ ନପାଇ ନିରାଶ ଥିଲେ ହିରଣ୍ୟ । ଗୁରୁବାର ମାଲିକ ଦୀପକ ପାଟ୍ଟଶାଣୀ ଶୋଇଥିଲା ବେଳେ ପୂର୍ବ ବିବାଦ ଏବଂ ମାନସିକ ଭାରସାମ୍ୟ ହରାଇ ପ୍ରତିଶୋଧ ପରାୟଣ ହୋଇ କର୍ମଚାରୀ ହିରଣ୍ୟ ସାହୁ ଏକ ହାତୁଡ଼ିରେ ମାଲିକଙ୍କ ମୁଣ୍ଡକୁ ପ୍ରହାର କରି ହତ୍ୟା କରିଛି । ଘର ଭିତରେ ହାତୁଡି ରେ ଛେଚି ମାଲିକ ଙ୍କୁ ହତ୍ୟା କରିଛି କର୍ମଚାରୀ ।
ଘଟଣାସ୍ଥଳରେ ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଏବଂ ସାତଶଂଖ ଫାଣ୍ଡି ଅଧିକାରୀ ପହଂଚି ତଦନ୍ତ ଚଳାଇ ଥିବା ବେଳେ ଅଭିଯୁକ୍ତ କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଟଙ୍କା ପଇସା କୁ କେନ୍ଦ୍ର କରି ଅଭିଯୁକ୍ତ ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି । ମୃତକ ହେଲେ ଦୀପକ ପାଟ୍ଟଶାଣୀ ଖୋର୍ଦ୍ଧା ଗଉଡପୂଟ ଅଞ୍ଚଳର ହୋଇଥିବା ବେଳେ ହତ୍ୟା କରିଥିବା ଅଭିଯୁକ୍ତ ହିରଣ୍ୟ ସାହୁ ବଡମ୍ଭା ନରସିଂହପୁର କଟକ ଜିଲାର ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ପାଇଁ ପୁରୀ ପଠାଯାଇଛି ।