ପିପିଲି ଉପନିର୍ବାଚନ : ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ
ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୬ ତାରିଖ(ସୋମବାର)ରେ ପିପିଲି ବିଧାନସଭା ପାଇଁ ବିଶ୍ୱକେଶନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳପକ୍ଷରୁ କୁହାଯାଇଛି। ପୁରୀ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ମନା କରିଥିଲେ। ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ବିଶ୍ୱକେଶନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲା।
ପ୍ରକାଶ ଯେ ଜିଲା କଂଗ୍ରେସର ସେବାଦଳ ଅଧ୍ୟକ୍ଷ ଭାବେ ଶ୍ରୀ ହରିଚନ୍ଦନ କାର୍ଯ୍ୟରତ। ଡେଲାଙ୍ଗ ବ୍ଳକର ରେଙ୍ଗଳ ପଞ୍ଚାୟତର ଯମୁନା ଝାଡ଼ପଡ଼ା ଗ୍ରାମରେ ତାଙ୍କ ଘର। ୧୯୭୭ରେ ଜନ୍ମ ନେଇଥିବା ବିଶ୍ୱକେଶନ ପେସାରେ ଜଣେ ଆଇନଜୀବୀ। ଉପନିର୍ବାଚନ ପାଇଁ ବିଶ୍ୱକେଶନଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଅ ଗାନ୍ଧୀ ଓ ନେତୃ ମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେଡି ଓ ବିଜେପିର ଅପାରଗତା ଶାସନ ଏବଂ ସ୍ଥାନୀୟ ସମସ୍ୟାକୁ ଆଧାରକରି ନିର୍ବାଚନ ଲଢ଼ିବୁ। ସ୍ୱର୍ଗତ ଅଜିତ ମଙ୍ଗରାଜ ଅସୁସ୍ଥ ସମୟରେ ଅନ୍ୟଦଳର କେତେକ ନେତା ଯେଭଳି ଅପପ୍ରଚାର କରିଥିଲେ ସାଧାରଣ ଲୋକେ ତା’ର ଜବାବ ଦେବେ। ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଚାରରେ ସାମିଲ ହେବେ ଓ ପିପିଲିର ପୁରୁଖା କଂଗ୍ରେସ ନେତାମାନେ ଏକାଠି ହୋଇଥିବାରୁ କଂଗ୍ରେସ ଆତ୍ମ ବିଶ୍ୱାସର ସହିତ ନିର୍ବାଚନ ଲଢ଼ି ସଫଳତା ପାଇବ ବୋଲି ସେ କହିଛନ୍ତି।