ବାଲେଶ୍ୱର : ସ୍ତ୍ରୀକୁ ବଞ୍ଚାଇବା ପାଇଁ ଘର ବନ୍ଧକ ରଖିଲେ ସ୍ୱାମୀ
ବାଲେଶ୍ୱର : କଥାରେ ଅଛି ଦୁଃଖ ଯେତେବେଳେ ଆସେ ସେତେବେଳେ ଗରିବ ଲୋକର ଆଖିରୁ ଲୁହ ବାହାରି ଥାଏ । ଆଉ ସେହି ଲୁହ ପୋଛିବାକୁ ପାଖରେ କେହି ହେଲେ ଅଣ୍ଟା ଭିଡ଼ି ନ ଥାନ୍ତି । ସେମାନେ କେବଳ ଭଗବାନ ଉପରେ ହିଁ ଭରଷା କରିଥାନ୍ତି । ଜଣେ ଗରିବ ଚାଷୀ ଆର୍ଥିକ ସମ୍ବଳ ଅଭାବରୁ ନିଜ ସ୍ତ୍ରୀର ଚିକିତ୍ସା କରି ପରି ନାହାନ୍ତି । ଫଳରେ ଅସହାୟ ଅବସ୍ଥାରେ ସ୍ତ୍ରୀ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଗୋଟିଏ ବିଛଣା ରେ ଦିନରାତି ପଡି ରହୁଛନ୍ତି । ଶେଷରେ କିଛି ଉପାୟ ନ ପାଇ ନିଜ ଘରକୁ ଅନ୍ୟ ଠାରେ ବନ୍ଧକ ରଖି ସ୍ତ୍ରୀକୁ ଚିକିତ୍ସା କିରିବା ପାଇଁ ବାହାରିଛନ୍ତି ସ୍ୱାମୀ । ଏଭଳି ଏକ ଘଟଣା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତ ବାଗ ଗ୍ରାମର ହରେନ୍ଦ୍ର ଦାସଙ୍କ ପରିବାର ଉପରେ ସତେ ଯେମିତି ଦଇବ ଦାଉ ସାଧୁଛି । ଗତ ୫ ବର୍ଷ ତଳେ ତାଙ୍କ ସ୍ତ୍ରୀ ଆରତୀ ଦାସ ପ୍ରଥମେ ହାଇ ବ୍ଲଡ଼ ପ୍ରେସରରେ ପୀଡିତ ହୋଇଥିଲେ । କିଛି ଦିନ ପରେ ସେ ପୁଣି ଥାଇରଏଡ଼ ରୋଗରେ ଶିକାର ହୋଇଥିଲେ । ଏନେଇ ତାଙ୍କୁ ବାଲେଶ୍ୱର, ପରେ କଟକ ବଡ଼ ମେଡିକାଲରୁ ଚିକିତ୍ସା କରାଯାଇ ମେଡ଼ିସିନ ସେବନ ଜାରି ରହିଥିଲା । ଏହାରି ମଧ୍ୟରେ ପୁଣି କିଛିଦିନ ପରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ୱାମୀ ନେଇଯାଇଥିଲେ। ସେଠାରେ ଡାକ୍ତର ସମସ୍ତ ପରୀକ୍ଷାନିରୀକ୍ଷା କଲା ପରେ ତାଙ୍କର କିଡ଼ନୀ ଦୁଇଟି ଖରlପ ଥିବା କଥା ଡାକ୍ତର ପ୍ରକାଶ କରିଥିଲେ । ଏହାପରେ ସ୍ୱାମୀ ହରେନ୍ଦ୍ରଙ୍କ ମୁଣ୍ଡରେ ସତେ ଯେମିତି ଚଡକ ପଡିଥିଲା । ଗତ ୫ ବର୍ଷ ମଧ୍ୟରେ ହରେନ୍ଦ୍ର ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାରେ ଧାରଉଧାର କରି ପ୍ରାୟ ୩ଲକ୍ଷ ଟଙ୍କା ସାରିଛନ୍ତି । ଏତେ ସବୁ ଦୁଃଖ ପରେ ମଧ୍ୟ ଦଇବ ସହିଲା ନାହିଁ । ଏବେ ସପ୍ତାହକୁ ୨ଦିନ ଡାୟୋଲିସିସ କରିବାକୁ ଡାକ୍ତର କହିଛନ୍ତି । ମାତ୍ର କରୋନା ଯୋଗୁଁ ସ୍ତ୍ରୀ ଆରତୀଙ୍କୁ କଟକ ନେବା ସ୍ୱାମୀଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏଥିସହିତ ଆର୍ଥିକ ସଙ୍କଟ ମଧ୍ୟ ଦେଖାଯାଇଛି । ଅନ୍ୟପକ୍ଷରେ କିଛି ଦିନ ଭିତରେ ଅପରେସନ ମଧ୍ୟ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି । ଏକଥା ଶୁଣି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଆଖିରୁ ଲୁହ ଗଡାଇବା ଛଡା ଆଉ କିଛି ଉପାୟ ନାହିଁ ଏମାନଙ୍କ ପାଖରେ । ଏପଟେ ଦିନକୁ ଦିନ ବିଗିଡିବାରେ ଲାଗିଛି ଆରତିଙ୍କ ସ୍ୱାସ୍ଥ୍ୟବସ୍ଥା । ନା ଆଖିରୁ ଶୁଖୁଛି ଲୁହ, ନା ଦେହରୁ ଯାଉଛି ଯନ୍ତ୍ରଣା । ଚଲାବୁଲା କରିବାକୁ କାହାରି ଦେହରେ ଆଉ ବଳ ବି ନାହିଁ । ସବୁ ବଳ ଶୋଷି ନେଲାଣି ରୋଗ । ଅକାମୀ ହୋଇଗଲାଣି ପୂରା ଶରୀର । ଅପରେସନ କରିବାକୁ ହେଲେ ଅତି କମରେ ୩ରୁ ୪ ଲକ୍ଷ ଟଙ୍କା ଆବଶ୍ୟକ । ଯେତିକି ଟଙ୍କା ଥିଲା ସେ ମଧ୍ୟ୍ୟ ସରିବା ପରେ ଗାଁ ସହି ପଡ଼ିଶାରୁ ୨ରୁ ୩ଲକ୍ଷ ଟଙ୍କା ହାତ ଉଧାର କରି ସାରିଲେଣି । ଗତ ୨ମାସ ଭିତରେ ୧ଲକ୍ଷରୁ ଉର୍ଦ୍ଧ ଟଙ୍କା ମଧ୍ୟ ଖର୍ଚ୍ଚ କରିସାଇଲେଣି । ଏବେ ଡାକ୍ତର ପାଖକୁ ନେବା ପାଇଁ ସମ୍ବଳ ନାହିଁ । ଆର୍ଥିକ ସମ୍ବଳ ନଥିବାରୁ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସବୁଆଡୁ ନିରାଶ ହେବା ପରେ ନିଜେ ଦିନ ସାରା ପରିଶ୍ରମ କରି ରାତ୍ରିରେ ଆସି ମୁଣ୍ଡ ଗୁଞ୍ଜୁଥିବା ଘରଟିକୁ ମଧ୍ୟ ଅନ୍ୟ ଠାରେ ୫ଲକ୍ଷ ଟଙ୍କାରେ ବନ୍ଧକ ରଖିଛନ୍ତି । ଏହି ଟଙ୍କାରେ ହରେନ୍ଦ୍ର ନିଜର ସ୍ତ୍ରୀକୁ ଚିକିତ୍ସା କିରିବା ପାଇଁ ବାହାରିଛନ୍ତି ।
ସୂଚନା ଯେ, ହରେନ୍ଦ୍ରଙ୍କ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ପୁଅ ଆଉ ଝିଅ । ତା’ ସହିତ ୠଗୀଣା ମା’ । ୫ବର୍ଷ ତଳେ ଝିଅ ବାହାଘର ସରିଥିଲେ ହେଁ ପୁଅ ଏବେ ବାହାର ରାଜ୍ୟରେ ଏକ କମ୍ପାନୀର ସ୍ୱଳ୍ପ ବେତନରେ କାମ କରୁଛି । କରୋନା ଯୋଗୁଁ କମ୍ପାନୀ ବନ୍ଦ ପାଇଁ ରୋଜଗାରିଆ ପୁଅ ମା’ଙ୍କ ଚିକିତ୍ସା ପାଇଁ ବାପାଙ୍କୁ ଟଙ୍କାଟିଏ ସାହାଯ୍ୟ କରିପାରୁନି କି ମା’ର ଏପରି ମୁମୂର୍ଷ ଅବସ୍ଥାରେ ବସ, ଟ୍ରେନ ବନ୍ଦ ଥିବାରୁ ସେ ଘରକୁ ଆସିପାରୁନି । ହରେନ୍ଦ୍ର ସ୍ୱଳ୍ପ ଜମିଜlଗାରେ ଚାଷ କରି ବର୍ଷ ଯାକର ପରିବା ପ୍ରତି ପୋଷଣ କରନ୍ତି । ତାଙ୍କ ସ୍ତ୍ରୀ ରୋଗରେ ପଡିବା ପରେ ଘରର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଓଳିଏ ଖାଇଲେ ଆର ଓଳିକୁ ଉପବାସରେ । ଯେଉଁଠି ପେଟ ପାଇଁ ଦୁଇ ମୁଠା ଦାନା ଯୋଗାଡ କରିବା ସମ୍ଭବ ନୁହେଁ ସେଠି ଚିକିତ୍ସା କଥା ବା ପଚାରେ କିଏ । ଏଭଳି ପରିସ୍ଥିତିରେ ତାଙ୍କ ରୁଗୁଣା ସ୍ତ୍ରୀର ଚିକିତ୍ସା ନିମନ୍ତେ ସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ହରେନ୍ଦ୍ର । ସରକାରଙ୍କ ସାହାଯ୍ୟ ପାଇଲେ ଆଉ କିଛି ଦିନ ସେ ବଞ୍ଚିବା ସହିତ ତାଙ୍କ ପରିବାର ଉପରେ ଲଦି ହୋଇଥିବା ଦୁଃଖ ଓ ବିପଦ ଟଳି ଯlନ୍ତା ବୋଲି ଆରତୀ ଲୁହଭରା ଆଖିରେ କହିଛନ୍ତି । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ହରେନ୍ଦ୍ର ପରିବାରକୁ ସହଯୋଗର ହାତ ବଢାଇଲେ ତାଙ୍କ ସ୍ତ୍ରୀର ସଫଳ ଅସ୍ତ୍ରପୋଚାର ହେବା ସହ ଏହି ରୋଗାଗ୍ରସ୍ତ ପରିବାରର ଖୁସି ପୁଣି ଫେରି ଆସନ୍ତା ।