ସ୍ତ୍ରୀ ଓ ପ୍ରେମିକ ଘରେ ଶୋଇଥିବା ସମୟରେ କଟୁରୀରେ ଆକ୍ରମଣ କଲା ସ୍ୱାମୀ
- ପ୍ରେମିକ ମୃତ ଓ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଗିରଫ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦୁଧିଆଣି ଗ୍ରାମପଞ୍ଚାୟତ ବୁଢ଼ୀଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ଓ ପ୍ରେମିକ ଘରେ ଶୋଇଥିବା ସମୟରେ ସ୍ୱାମୀର କଟୁରୀ ଚୋଟରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛି । ଖବରପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରିଛି ।
ସୂଚନା ଯେ, ବୁଢ଼ୀଗାଁ ଗ୍ରାମର ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲା । ରୂପା ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ କାର୍ଯ୍ୟାଳୟ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ଥିଲେ । ଦିନବେଳା ଘରେ ଲୋକେ ଅନୁପସ୍ଥିତ ରହୁଥିବା ସୁଯୋଗରେ ଉକ୍ତ ଗ୍ରାମର ଫୁଟେ ଦେହୁରୀ ନାମକ ଜଣେ ଯୁବକ ପାର୍ବତୀକୁ ଭଲ ପାଇ ତାକୁ ବାହା ହେବା ପାଇଁ ରାଜି ହୋଇଥିଲା । ଏପରିକି ପାର୍ବତୀ ଗର୍ଭବତୀ ଥିଲେ । କିନ୍ତୁ ଗତ ବୁଧବାର ଅପରାହ୍ନ ସମୟରେ ରୁପା ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଉପସ୍ଥିତିରେ ଫୁଟେ ପାର୍ବତୀକୁ ନେଇ ପଳାଇ ଥିଲା । ଏଇ ଘଟଣାରେ ପାର୍ବତୀ ନିଜ ଇଚ୍ଛାରେ ଯାଇଥିବା ଜାଣି ରୁପା ଚୁପ ରହିଥିଲା। ମାତ୍ର ଗତ ଶୁକ୍ରବାର ପାର୍ବତୀର ଗର୍ଭକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ରୂପାକୁ କହିଥିଲା । ଏନେଇ ରୁପା ପ୍ରତିଶୋଧ ପରାୟଣ ହୋଇ ବଦଲା ନେବା ପାଇଁ ସୁଯୋଗ ଖୋଜୁଥିଲା । ଫଳରେ ସୋମବାର ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ରୁପା ଏକ କଟୁରୀ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲା । ଏଥିରେ ଘଟଣାସ୍ଥଳରେ ଫୁଟେର ମୃତ୍ୟୁ ହୋଇଥିବା ବେଳେ ପାର୍ବତୀର ଓଠ ଓ ଡାହାଣ ହାତରେ ଗଭୀର କ୍ଷତ ହୋଇଥିଲା । ଖବରପାଇ କରଞ୍ଜିଆ ପୋଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ରୂପାକୁ ଗିରଫ କରିଛି । ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରାଯିବ ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।