ବାର୍ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶିକାରୀ ମୃତ
ସୁବର୍ଣ୍ଣପୁର : ନିଜ ଫାସରେ ଫସିଗଲା ଶିକାରୀ । ବାର୍ହା ଶିକାର ପାଇଁ ବିଛାଇଥିଲେ ଜୀବନ୍ତ ବିଦ୍ୟୁତ୍ ତାର। କିନ୍ତୁ ସେହି ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧିନସ୍ଥ କୋଟସମଲେଇ ଜଙ୍ଗଲରେ ଦେଖିବାକୁ ମିଳିଛି।
ରବିବାର ନୁଆଖାଇ ପରବର୍ତ୍ତୀ ଛାଡଖାଇ ଦିନରେ ବାରହା ମାଂସ ଆଶାରେ ଶିକାର କରିବାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଜୀବନ୍ତ ବିଦ୍ୟୁତ ତାର ବିଛାଇଥିଲେ ଶିକାରୀ । ଭୋରରେ ଶିକାର ହୋଇଥିବା ବାରହା ଆଣିବାକୁ ଯାଇଥିବା ବେଳେ ଶିକାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣକ ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ ବୋଲି ଜଣାପଡିଛି । ରବିବାର ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଉଲୁଣ୍ଡା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେହିପରି ବୀରମହାରାଜପୁର ଥାନା ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।