ଚଳିତବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା

କଟକ : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇ ପାରିନାହିଁ । ସମ୍ପ୍ରତି କଟକ, ଖୋର୍ଦ୍ଧା ଭଳି ଅନ୍ୟାନ୍ୟ ଜିଲାରେ ମଧ୍ୟ ପ୍ରତିଦିନ କିଛିନା କିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଓ ପ୍ରଶାସନ କରୋନା କଟକଣାକୁ ବଳବତ୍ତର ରଖିବାକୁ ବାଧ୍ୟ ହୋଇଛନ୍ତି । ତେବେ କଟକଣାରେ କିଛିଟା କୋହଳ କରାଯାଇଥିଲେ ମଧ୍ୟ ବହୁଜନ ସମାଗମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକର ଐତିହାସିକ ବାଲିଯାତ୍ରା ବନ୍ଦ କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ ।
ସେ କହିଛନ୍ତି ଯେ, କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବାଲିଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ରାଜ୍ୟର ଏକ ବୃହତ ବିପଣୀମେଳା ହୋଇଥିବାବେଳେ ରାଜ୍ୟର ବିଭିନ୍ନ ଜିଲା ତଥା ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ସମାଗମ ହୋଇଥାଏ । କଟକ ବାଲିଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଜନସମାଗମ ହୋଇଥାଏ । ଏହି ଜନସମାଗମକୁ ରୋକାଯିବା ସମ୍ଭବ ନହେବା ଦୃଷ୍ଟିରୁ ଏଥର ବାଲିଯାତ୍ରାରେ ପ୍ରତିବନ୍ଧକ ଲଗାଯାଇଛି ।