୧୮ରେ ଶିଶୁ ଭବନ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ
କଟକ : ଶିଶୁ ଭବନ ସମ୍ପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି । ଆଇନଜୀବୀ କମିଟି ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ରିପୋର୍ଟ ଉପରେ ଶିଶୁ ଭବନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୮ରେ ହେବା ପାଇଁ ଧାର୍ଯ୍ୟ ହୋଇଛି ।
ସୂଚନା ଯେ, ପୂର୍ବ ଶୁଣାଣି ସମୟରେ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଥିଲା । ଶିଶୁ ଭବନ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ପରିମଳ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ ଅଧୀକ୍ଷକଙ୍କ ପକ୍ଷରୁ ଫଟୋଗ୍ରାଫ ମଧ୍ୟ ଦାଖଲ କରାଯାଇଥିଲା । ତେବେ ଏହି ସତ୍ୟପାଠରେ ଯେଉଁ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରାଯାଇଛି ତାହା ସତ କି ନାହିଁ ଆଇନଜୀବୀ କମିଟି ଶିଶୁ ଭବନ ଗସ୍ତ କରି ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଥିଲେ । ଏହି କମିଟିରେ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, ନିବାସ ଚନ୍ଦ୍ର ମିଶ୍ର, ଅଜୟ କୁମାର ମହାନ୍ତି ଓ ଏ.ପି.ଦାସ ଅଛନ୍ତି । ଆଇନଜୀବୀମାନେ ବିଭିନ୍ନ ୱାର୍ଡର ସ୍ଥିତି ଅନୁଧ୍ୟାନ କରିବା ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ୍ ଉତ୍ତୋଳନ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟ ଉପରେ ପକ୍ଷ ରଖିବାକୁ ଶିଶୁ ଭବନ ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।