ରାଜ୍ୟରେ କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର : ନରିଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ସାଙ୍ଘାତିକ ତଥ୍ୟ ଓଡ଼ିଶାବାସୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି । ସରକାର ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି ତାହା ଭୁଲ ଏବଂ ବିଭ୍ରାନ୍ତିକର ବୋଲି ରାଜ୍ୟରେ ଥିବା ମଶାଣି ଗୁଡ଼ିକର ହିସାବ ଖାତା ପ୍ରମାଣିତ କରିଛି । ଏହା ଏକ ଧର୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ ହେବ ନାହିଁ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ସରକାର ଚଳିତ ମାସରେ ପ୍ରତିଦିନ ହାରାହାରୀ ୨୦ଜଣ ଲେଖାଏଁ କୋଭିଡରେ ରୋଗୀ ମୃତ୍ୟୁବରଣ କରୁଛନ୍ତି ବୋଲି ଘୋଷଣା କରୁଛନ୍ତି । ଗତ ୧୪ ତାରିଖରେ ଏହା ଚଳିତ ମାସରେ ଥିଲା ସର୍ବାଧିକ ୨୨ ଜଣ । ମାତ୍ର ସତ୍ୟନଗର ମଶାଣିରେ ଏହି ମେ ମାସରେ ପ୍ରତିଦିନ ୪୫ ଶବ ସତ୍କାର ହୋଇଥିବାର ତଥ୍ୟ ମିଳିଛି । ଯେଉଁଥିରୁ ୩୦ ଜଣଙ୍କର କୋଭିଡ଼ ନିୟମ ମୁତାବକ ଶବଦାହ ହୋଇଛି । ଏହି ମାସରେ ବର୍ତମାନ ସୁଦ୍ଧା ୬୫୦ଜଣଙ୍କ ଶବ ଏଠାରେ ପୋଡ଼ା ହୋଇଛି । କରୋନାର ଦ୍ୱିତୀୟ ଲହର ଆରମ୍ଭ ଠାରୁ ଓଡ଼ିଶାରେ ମୋଟ ୩୯୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି । ଅର୍ଥାତ ଦିନକୁ ହାରାହାରି ୬ ଜଣ କରୋନାରେ ମରିଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ମଶାଣି ଗୁଡ଼ିକରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକାରୀ ପରିସଂଖ୍ୟାନ ଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି । ଏହି ତଥ୍ୟ ଅନୁଯାୟୀ ମେ ୧ରୁ ୧୪ ଭିତରେ ରାଜ୍ୟରେ ୨୦୦୦ ଶବ ସତ୍କାର ହୋଇଛି ବିଭିନ୍ନ ସହରର ମଶାଣି ଗୁଡ଼ିକରେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସତ୍ୟନଗର, ଖାନ ନଗର, ସତୀଚଉରା ଇତ୍ୟାଦି ମଶାଣି ଗୁଡ଼ିକରେ ନିର୍ବାପିତ ହେଉନଥିବା ଜୁଇ ।
ସେହିପରି ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ କହୁଛି ଗତବର୍ଷ ସେପ୍ଟେମମ୍ବରେ ଦାହ ହୋଇଥିଲା ୧୨୮୮ ଶବ କିନ୍ତୁ କରୋନାରେ ସେହି ମାସରେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟି ପ୍ରାଣ ହରାଇଥିଲେ ୩୫୬ ଏହା ପଛରେ ରହସ୍ୟ କ’ଣ ରହିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସରକାର ଯେ କରେନା ମୃତ୍ୟୁ ସଂଖ୍ୟକୁ ଲୁଚାଉଛନ୍ତି ତାହା ଆଉ ଏକ କଥାରୁ ଜଣାପଡ଼େ । ରାଜ୍ୟ ସରକାର ଏବେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ଝାରସୁଗୁଡ଼ା ଇତ୍ୟାଦି ସହର ମାନଙ୍କରେ ଥିବା ମଣାଣି ଗୁଡ଼ିକରେ ସମ୍ପ୍ରସାରଣ ଓ ନୂଆ ମଣାଣି ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବର୍ତମାନ ସରକାରୀ ହିସାବ ଅନୁଯାୟୀ ଯଦି ଦିନକୁ ରାଜ୍ୟର ହାରାହାରି ୨୦ ଜଣ ମରୁଛନ୍ତି ତେବେ ଏହି ନୂତନ ମଶାଣି ତିଆରି କରି ସରକାର ତତ୍ପର କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।