ଗୋଆରେ ଜୁଲାଇ ୫ ପର୍ଯ୍ୟନ୍ତ ବଢିଲା କର୍ଫ୍ୟୁ
ପାଣାଜୀ : କରୋନାର ଦ୍ୱିତୀୟ ଲହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏବେ ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ। ମାମଲା ଧିରେ ଧିରେ ବଢୁଥିବା ବେଳେ ଏବେ ଆଗୁଆ ପଦକ୍ଷେପ ନେବା ଆରମ୍ଭ କଲେଣି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ଗୋଆ ସରକାର ରାଜ୍ୟବ୍ୟପୀ କର୍ଫ୍ୟୁକୁ ଜୁଲାଇ ୫ ତାରିଖ ସକାଳ ୭ଟା ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
ମହାମାରୀକୁ ନଜରରେ ରଖି ଗୋଆରେ କଡ଼ା କଟକଣା ଲାଗୁ ହେବ । ପଡୋଶୀ ରାଜ୍ୟରୁ ଗୋଆକୁ ଆସୁଥିବା ଲୋକଙ୍କ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଘରୋଇ ଲାବୋରେଟୋରିରେ ନୂଆ ଭାରିଆଣ୍ଟର ପରୀକ୍ଷଣ କରିବାକୁ ପୃଥକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।