ଓଡିଶାରେ କୋଭିଡ୍ ଭାରିଏଣ୍ଟ
ଭୁବନେଶ୍ୱର : ଚୀନ୍-ଜାପାନ୍ ଭଳି ଦେଶରେ ପୁଣି କରୋନା ଆତଙ୍କ ଖେଳାଇଥିବା ବେଳେ ଓଡିଶାରେ ମଧ୍ୟ କୋଭିଡ୍ ର ନୂଆ ଭାରିଆଂଟ ଚିହ୍ନଟ ହୋଇଛି । ଓଡ଼ିଶାରେ ଚୀନ୍ ଭାଇରସ୍ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଚୀନ୍ ରେ ଦେଖାଯାଉଥିବା କୋଭିଡର ଓମିକ୍ରନ୍ ଭାରିଏଂଟ ବିଏଫ୍.୭ ଓଡିଶାରେ ଚିହ୍ନଟ ହୋଇଥିବା ଜଣାପଡିଛି । ଗୁଜରାଟରେ ୨ ଜଣ ଏବଂ ଓଡ଼ିଶାରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩୦ ସେପ୍ଟେମ୍ବରରେ ଓଡିଶାରେ ବିଏଫ୍.୭ କୋଭିଡ୍ ଭାରିଆଂଟ ଚିହ୍ନଟ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କ ଠାରେ ଆରଟି ପିସିଆର ଟେଷ୍ଟ ପରେ ଏହି ଭାରିଆଂଟ ମିଳିଥିଲା । ଏହାପରେ ଆରଏମଆରସି ତାର ଜେନମ୍ ସ୍ୱିକେନ୍ସିଂ କରିଥିଲେ । ଟେଷ୍ଟ ପରେ ଏହା ଭିଓସି କିମ୍ବା ଭିଓଆଇ ହୋଇନଥିବା ଜଣାପଡିଥିଲା । ଏହି ଘଟଣାକୁ ୩ ମାସ ବିତି ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ଠାରୁ ଚିଠି ପାଇବା ପରେ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନା ଆକ୍ରାନ୍ତଙ୍କ ଜେନମ୍ ସିକ୍ୟୁଏନ୍ସିଂ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।