ଏଣିକି ପଟିଆ ଶ୍ମଶାନରେ କରାଯିବ କରୋନା ରୋଗୀଙ୍କ ଶବ ଦାହ!
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଅଣାୟତ ହେଲାଣି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ସଙ୍ଗୀନ୍ ରହିଛି । ଏଠାରେ କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ମୃତ ଦେହ କେବଳ ସତ୍ୟ ନଗର ଶ୍ମଶାନରେ ସଂସ୍କାର କରାଯାଉଥିବା ବେଳେ ବହୁ ସଂଖ୍ୟାରେ ଶବ ମାନଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଫଳରେ ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ କେବଳ ମାତ୍ର ସତ୍ୟ ନଗର ଶ୍ମଶାନରେ ହିଁ କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ମାନଙ୍କ ଶବ ଦାହର ବ୍ୟବସ୍ଥା ହୋଇଥିବା ବେଳେ ଏବେ ଏହି ଶ୍ମଶାନରେ ଦିନଠୁ ରାତି ଯାଏଁ ଜୁଇ ଜଳୁଛି । ଶବ ଦାହ କରିବା ପାଇଁ ଲୋକ ମାନଙ୍କୁ ଘଣ୍ଟା ଘଣ୍ଟାର ଅପେକ୍ଷା କରିବାକୁ ପଡୁଛି । ଏଭଳି ସ୍ଥିତିରେ ବାରମ୍ବାର ଅଭିଯୋଗ ପରେ ଏବେ ବିଏମସି ପକ୍ଷରୁ ପଟିଆ ଶ୍ମଶାନକୁ ଯୁଦ୍ଧ କାଳୀନ ଭିତ୍ତିରେ କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ମୃତ ଦେହ ସଂସ୍କାର କରିବା ପାଇଁ ପ୍ରସ୍ତୁତ କରାଯାଉଛି । ଯାହା ଫଳରେ ପଟିଆରେ କିଛି ଶବ ଦାହ କରାଗଲେ ସତ୍ୟ ନଗରରେ ଶବ ଦାହ ପାଇଁ ହେଉଥିବା ଭିଡକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଳି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତମାନ ରାଜ୍ୟରେ କରୋନାରେ ମୃତ୍ୟୁ ବରଣ କରୁଥିବା ରୋଗୀ ମାନଙ୍କ ପ୍ରକୃତ ସଂଖ୍ୟା କୁ ନେଇ ବଡ଼ ପ୍ରଶ୍ନ ରହିଛି । ରାଜ୍ୟ ସରକାର ଦେଉଥିବା ତଥ୍ୟ ଓ ଶ୍ମଶାନରେ କରାଯାଉଥିବା ଶବ ସଂସ୍କାର ମଧ୍ୟରେ ଅନେକ ଫରକ ରହିଥିବା ସିଧାସିଧା ବାରି ହୋଇ ପଡୁଛି ।