ଘରୋଇ ସଂସ୍ଥାଗୁଡିକର କାର୍ଯ୍ୟ ସମୀକ୍ଷା ସଫେଇ କାର୍ଯ୍ୟର ସ୍ୱଚ୍ଛତା ନେଇ ଏସଆଇମାନଙ୍କୁ ତାଗିଦ୍ କଲେ କମିଶନର
କଟକ : କଟକ ମହାନଗର ନିଗମ(ସିଏମସି) ବିଜୁ ଭବନର ସମ୍ମିଳନୀ କକ୍ଷରେ ଆଜି ସ୍ୱାସ୍ଥ୍ୟ ଓ ପରିମଳ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଶନର ନିଖିଲ ପୱନ କଲ୍ୟାଣ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସ୍ୱଚ୍ଛ କଟକ ଓ ସୁସ୍ଥ କଟକ ଅଭିଯାନ ଉପରେ ସେ ଗୁରୁ୍ତ୍ୱ ଆରୋପ କରିବା ସହିତ କଟକ ସହରକୁ ସଂପୂର୍ଣ୍ଣ ଆବର୍ଜନାମୁକ୍ତ କରିବା ପାଇଁ ସିଏମସି ପକ୍ଷରୁ ଚାଲିଥିବା ଅଭିଯାନକୁ ଅଧିକ ଲୋକାଭିମୁଖୀ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିକଟରେ ଘରୋଇ କମ୍ପାନୀଗୁଡିକୁ ଦିଆଯାଇଥିବା ସଫେଇ କାର୍ଯ୍ୟ ସଂପର୍କରେ ତର୍ଜମା କରାଯାଇଥିଲା । ଅକ୍ଟୋବର ୧୫ରେ ପ୍ରଥମ ଦଫାରେ ଘରୋଇ କମ୍ପାନୀଗୁଡିକୁ ଦିଆଯାଇଥିବା ୩ଟି ୱାର୍ଡର ସଫେଇ କାର୍ଯ୍ୟର ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ କମିଶନର ଶ୍ରୀ କଲ୍ୟାଣ ପରାମର୍ଶ ଦେବା ସହ ସାନିଟାରୀ ଇନ୍ସପେକ୍ଟର(ଏସଆଇ)ମାନେ କାମର ମନିଟରିଂ ଠିକ୍ ଭାବେ କରିବା ପାଇଁ ତାଗିଦ କରିଥିଲେ । ବିଶେଷକରି ସଫେଇ, ଡ୍ରେନ୍-ଡିସିଲ୍ଟିଂ, ମ୍ୟାନ ପାୱାର ଏନଗେଜମେଣ୍ଟ ଓ ଭେହିକିଲ ଏନଗେଜମେଣ୍ଟ କାର୍ଯ୍ୟକୁ ଠିକ ଭାବେ ତଦାରଖ କରିବାକୁ ସତର୍କ କରାଯାଇଥିଲା । ଏତଦ୍ ବ୍ୟତୀତ ସାନିଟାରୀ ଇନ୍ସପେକ୍ଟରମାନଙ୍କୁ ଘରୋଇ କମ୍ପାନୀ କାର୍ଯ୍ୟ ପରିଚାଳନା ସଂକ୍ରାନ୍ତରେ ଯଥେଷ୍ଟ ତାଲିମ୍ ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଅନୁଷ୍ଠିତ ବୈଠକରେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ଡେପୁଟି କମିଶନର ସଂଜୀବିତା ରାୟ, ପରିମଳ ପରିଚାଳନା ବିଶେଷଜ୍ଞମାନଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।