ଷଣ୍ଢ, ଗାଈ ଓ ମଶାଙ୍କ କବ୍ଜାରେ ଝାରସୁଗୁଡା ସହର
ଝାରସୁଗୁଡା : ଝାରସୁଗୁଡାରେ ବର୍ଷା ଆରମ୍ଭ ହେବା ପରେ ଝାରସୁଗୁଡା ରାଜରାସ୍ତାକୁ କବଜା କରି ନେଲେଣି ବୁଲାଗୋରୁ ଓ ଷଣ୍ଢ ସହରର ମୁଖ୍ୟରାସ୍ତା ହେଉ କି ଷ୍ଟେସନ ରୋଡ, ଜିଲାପାଳ ଅଫିସ ହେଉ କି ସରବାହାଲ ରୋଡ ସବୁଠି ବୁଲା ଷଣ୍ଢ ଏବଂ ଗୋରୁଙ୍କ ଜମାଣିଆ ଭିଡ ଆରମ୍ଭ ହେଲାଣି । ସେମାନଙ୍କୁ ଅତିକ୍ରମ କରି ଗାଡି ମଟର ଯାତାୟତ କରିବା କଷ୍ଟକର ବ୍ୟାପାର । ଲୋକ ସଂଖ୍ୟା ଅନୁପାତରେ ଝାରସୁଗୁଡା ସହରରେ ରାସ୍ତା ସମ୍ପ୍ରସାରଣ ହୋଇନାହିଁ । ସେଥିପାଇଁ ସହରରେ ଟ୍ରାଫିକ ସମସ୍ୟା ଉତ୍କଟ । ଏହା ସାଙ୍ଗକୁ ବୁଲା ଷଣ୍ଢ, ଗୋରୁ ଗାଈଙ୍କ ରାସ୍ତା ଅବରୋଧ ସାଧାରଣ ଲୋକଙ୍କ ଚଳାଚଳ ରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଗମନା ଗମନ ପାଇଁ ରାସ୍ତାର ଅଭାବ ଓ ବ୍ୟବସାୟ ବୃଦ୍ଧିପାଇଁ ସରକାରୀ ରାସ୍ତାକୁ ଜବରଦଖଲ, ଝାରସୁଗୁଡା ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏସବୁ ସହିତ ଟ୍ରାଫିକ ସମସ୍ୟାର ଅନ୍ୟ ଏକ ପ୍ରମୁଖ କାରଣ । ବର୍ଷା ଯୋଗୁଁ ସନ୍ତସନ୍ତିଆ ଜାଗାରେ ରହିବାକୁ ପସନ୍ଦ କରୁ ନ ଥିବା ଏହି ଗୃହପାଳିତ ପଶୁମାନେ ରାଜରାସ୍ତାରେ ଶୋଇ ରହନ୍ତି । ସେଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ପୌରପାଳିକା ସ୍ଥାୟୀ ସମାଧାନ ବାହାର କରିପାରୁନି ।
ନିୟମ ଅନୁସାରେ ଗାଈ, ବଳଦଙ୍କ ଅବାଧ ବିଚରଣକୁ ରୋକିବା ପାଇଁ ପୌର ପରିଷଦକୁ ସ୍ୱତନ୍ତ୍ର କ୍ଷମତା ମଧ୍ୟ ଦିଆଯାଇଛି । ସେଥିପାଇଁ ପୌର କାର୍ଯ୍ୟାଳୟରେ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ରହିବା ଜରୁରୀ । ଏହାସହ ଗାଇ ଗୋରୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଏକ ଆବଦ୍ଧ ଗାଡିରେ ନେଇ କାଞ୍ଜିଆ ହାଉସରେ ରଖିବା ପାଇଁ ପୌର ପରିଷଦ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବା କଥା । ଏବଂ ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରିବାର ନିୟମ ରହିଛି । ଜବତ ଗାଈକୁ ପୌର ପରିଷଦ ନିକଟରୁ ମୁକ୍ତ କରିବା ପାଇଁ ହେଲେ ପରିଷଦ ପକ୍ଷରୁ ଧାର୍ଯ୍ୟ ଜରିମାନା ପୈଠ କରି ଗାଈକୁ ନେଇଯିବାର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ସହରର ଗୋଟିଏ ଗୋଟିଏ ସ୍ଥାନରେ ୧୦ରୁ ଅଧିକ ଗାଈ, ଗୋରୁ, ଷଣ୍ଢ ଭିଡ ଜମାଇ ଶୋଇ ଥାଆନ୍ତି । ଝାରସୁଗୁଡା ପୌରପାଳିକା ମଧ୍ୟ ଗାଢ ନିଦ୍ରାରେ ଶୋଇଛି । ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରେ କିଏ? ଝାରସୁଗୁଡା ପୌରପାଳିକାରେ ନିଜସ୍ୱ କାଞ୍ଜିଆ ହାଉସ ନାହିଁ । ଗୋଟିଏ ଗୋଶାଳା ରହିଥିଲେ ମଧ୍ୟ ସେଠାରେ ଏତେ ସଂଖ୍ୟକ ବୁଲା ଷଣ୍ଢ, ଗୋରୁ ଗାଈଙ୍କୁ ରଖିବା ସମ୍ଭବ ନୁହେଁ । ଗୋଟିଏ କାଓ କ୍ୟାଚର ଗାଡି ପୌରପରିଷଦ ର ରହିଛି । ବର୍ଷକୁ ବର୍ଷା ଦିନେ ଥରେ ଅଧେ ବୁଲା ଗାଈ ଗୋରୁଙ୍କୁ ଧରି ନିଆଯାଉଛି । ହେଲେ ଏହାକୁ ନିୟମିତ କରାଯାଉ ନ ଥିବାରୁ ମାଲିକମାନେ ସଚେତନ ହେଉ ନାହାନ୍ତି । ଝାରସୁଗୁଡା ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ କହିବା ଅନୁସାଂରେ, ସହରରେ ଗାଈ ଗୌରୁ ଙ୍କ ଦୌରାତ୍ମ୍ୟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରା ଯାଉଛି । ପରିଷଦ ପକ୍ଷରୁ ଏକ କାଓ କ୍ୟାଚର ଗାଡି କିଣା ଯାଇଛି । ସେଥିପାଇଁ କିଛି କର୍ମଚାରୀଙ୍କୁ ନିୟୋଜିତ କରାଯାଇ ଶୀଘ୍ର ବୁଲା ଷଣ୍ଢ ଏବଂ ଗୋରୁ ଗାଈଙ୍କୁ ଧରାଯିବ । ସହର ରେ ବର୍ଷା ଆରମ୍ଭ ପରେ ମଶା ମାନଙ୍କ ସଂଖ୍ୟା ବୃଦ୍ଧି ୍ଯେଉଁ ପରିମାଣ ରେ ଥିଲା ତାହା ବହୁ ଅଧିକ ହୋଇଗଲାଣି । ଡ୍ରେନ କାମ ସଂପୂର୍ଣ ହୋଇ ନଥିବାରୁ ନର୍ଦ୍ଧମା ପାଣି ରାସ୍ତା ଉପରେ ପ୍ରଭାବିତ ହେଉଛି । ଡ୍ରେନ୍ଗୁଡିକ ସଫେଇ କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ । ଯାହା ଫଳରେ ମଶାମାନଙ୍କ ସଂଖ୍ୟା ବୃଦ୍ଧି ହେଉଛି । ବର୍ତମାନ ଜିଲ୍ଳା ମୁଖ୍ୟ ଡାକ୍ତରଖାନା ଓ ଘରୋଇ ଡାକ୍ତର ମାନଙ୍କ ପାଖକୁ ଜ୍ୱର, ଝାଡା ରୋଗୀଙ୍କ ଆସିବା ଆରମ୍ଭ କଲାଣି । ସହର ରେ ଥିବା ଡ୍ରେନ ଗୁଡିକ ରେ ମଶା ମରା ଔଷଧ ଠିକ ରୂପେ ପଡୁ ନାହିଁ । ମଶାମରା ଧୂଆ ସହର ଠିକ୍ ରୂପେ ରେ ଦିଆ ଯାଉ ନାହିଁ । ମଶା ମରା ଧୂଆଁ ଓ ଔଷଧ ବିଷୟରେ ସମ୍ବାଦ ପତ୍ର ରେ ବାହାରିବା ପରେ ୧୦ ଦିନ ହେଲା ଧୂଆ ଦେବା ଆରମ୍ଭ ହୋଇଛି ଗୋଟିଏ ମେସିନରେ ୨୪ଟି ୱାର୍ଡ଼ରେ କିପରି ଧୂଆ ଦିଆ ଯିବ ତାହା ପ୍ରଶ୍ନବାଚୀ ହୋଇଛି । ୪ବର୍ଷ ପୂର୍ବରୁ ମେସିନ କିଣା ଯାଇ ମଶାବଂଶ ନିପାତ ହେବ ବୋଲି ପତ୍ର ପତ୍ରିକା ରେ ବହୁଳ ଭାବରେ ପଚାର କରା ଯାଇଥିଲା । ଧୂଆ ଦେବା ମେସିନ ସବୁ ଆଜି ଖରାପ ହୋଇ ପଡିଛି । ଗତ ୪ବର୍ଷ ପୂର୍ବରୁ ଡେଙ୍ଗୁ ରେ ଜିଲ୍ଳାରେ ୨୦ଜଣ ଙ୍କର ମୃତ୍ୟୁ ହୋଇ ୨୦୦ଜଣ ରୁ ଅଧିକ ପିଡିତ ହୋଇଥିଲେ । ତାହା ସହରବାସୀ ଭୁଲି ନାହଁନ୍ତି । କୋଭିଡ -୧୯ ରୁ ସହର ରକ୍ଷା ପାଇନାହିଁ । ଡେଙ୍ଗୁ ମହାମାରୀ ପାଇଁ ଜିଲ୍ଲା ପ୍ରଶାସନ ଆଜିଠାରୁ ସତର୍କ ହେବା ଉଚିତ । ପୌର ପରିଷଦ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।