ରଣକ୍ଷେତ୍ର ପାଲଟିଲା ନୀଳଗିରି ଉପଖଣ୍ଡ ମେଡିକାଲ ପରିସର
- ଆମ୍ବୁଲାନ୍ସ ଭଡ଼ାକୁ କେନ୍ଦ୍ର କରି ଦୁଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମଧ୍ୟରେ ମାରପିଟ
ବାଲେଶ୍ୱର : ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିବା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଉପଖଣ୍ଡ ମେଡିକାଲ ପରିସରରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମେଡିକାଲରେ ଆଡମିଶନ ହୋଇଥିବା ଜଣେ ରୋଗୀ ରବିବାର ସକାଳେ ଡିସଚାର୍ଜ ହୋଇ ନିଜ ଘରକୁ ସ୍ଥାନାନ୍ତର ହେଉଥିଲେ। ଘରକୁ ଯିବା ପାଇଁ ୩ଶହ ଟଙ୍କା ଭଡ଼ାରେ ଆମ୍ବୁଲାନ୍ସ ଠିକ କରିଥିଲେ । ମାତ୍ର ଅନ୍ୟ ଏକ ଆମ୍ବୁଲାନ୍ସର ଡ୍ରାଇଭର ପହଞ୍ଚି ୨ଶହ ଟଙ୍କା ଭଡ଼ା ନେବେ ବୋଲି କହିଥିଲେ । ଏହାକୁ ନେଇ ମେଡିକାଲ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଦୀର୍ଘ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଠେଲାପେଲା ସହ ମାରପିଟ ହୋଇଥିଲା । ସ୍ଥାନୀୟ ଲୋକେ ଏବଂ ସିକୁରିଟି ସେମାନଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ ହେଁ ସେମାନେ ଅଟକି ନଥିଲେ । ଏଥିରେ ଉଭୟ କ୍ଷତାକ୍ତ ମଧ୍ୟ ହୋଇଛନ୍ତି। ଖବର ଲେଖା ହେବା ବେଳକୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଦେଖା ଯାଇଛି।
ସୂଚନା ଯେ, ଗତ କିଛି ଦିନ ପୂର୍ବରୁ ଏକ ଫଳକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଉଲ୍ଲେଖ କରାଯାଇ ନଥିବାକୁ କେନ୍ଦ୍ର କରି ଏବେବି ମେଡିକାଲ ପରିସ୍ଥିତି ନିୟନ୍ତ୍ରଣ ହୋଇ ନଥିବା ବେଳେ, ପୁଣି ଆମ୍ବୁଲାନ୍ସ ଭଡ଼ାକୁ ନେଇ ରଣକ୍ଷେତ୍ର ପାଲଟିବା ଘଟଣା ଅଞ୍ଚଳରେ କ୍ଷୋଭ ସୃଷ୍ଟି କରିଛି।