ଦେଶୀ ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ
ବାଲେଶ୍ୱର : ରାଜ୍ୟସରକାରଙ୍କ ନିର୍ଦ୍ଦେଶାନୁଯାୟୀ ବାଲେଶ୍ୱର ଜିଲାପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଦେଶୀ ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲାପାଳଙ୍କୁ ସହଯୋଗ କରିବା ସହିତ ଲଟେରୀ ଉଠାଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶମତେ ଅବକାରୀ ଅଧୀକ୍ଷକ ଶେଖ୍ ଆସଫ୍ ଅଲ୍ଲୀ ସହଯୋଗ କରିଥିଲେ । ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ସମସ୍ତ ଲଟେରୀ ଉଠାଣ କରାଯାଇଥିଲା ।
ପ୍ରକାଶଯୋଗ୍ୟ ଯେ, ସମୁଦାୟ ୫୨ଟି ବିଦେଶୀ ଓ ୨୧ଟି ଦେଶୀ ମଦ ଦୋକାନ ପାଇଁ ଏହି ଲଟେରୀ ଉଠାଣ କରାଯାଇଥିଲା । ୫୨ଟି ବିଦେଶୀ ମଦ ଦୋକାନ ପାଇଁ ସମୁଦାୟ ୬୫୦ ଜଣ ଆବେଦକ ଥିବାବେଳେ ସୋର ନଂ.୧ ପାଇଁ ସର୍ବାଧିକ ୪୦ଜଣ ଆବେଦକ ଥିଲେ । ସେହିପରି ଦେଶୀ ମଦ ଦୋକାନ ସମୁଦାୟ ୩୮ଟି ଥିଲେ ହେଁ ୨୧ଟି ପାଇଁ ଦରଖାସ୍ତ ପଡ଼ିଥିଲା । ସେଥିମଧ୍ୟରେ ୧୨ଟି ଦୋକାନ ପାଇଁ ଏକକ ଆବେଦକ ଥିବାରୁ ଲଟେରୀ ଉଠାଣର ଆବଶ୍ୟକ ପଡ଼ିନଥିଲା । କେବଳ ସେମାନଙ୍କର ନାମ ଘୋଷଣା କରାଯାଇଥିଲା । ଅନ୍ୟ ୯ଟି ଦୋକାନ ପାଇଁ ଲଟେରୀ ଉଠାଣ କରାଯାଇଥିଲଶ ଏବଂ ରୂପ୍ସା ପାଇଁ ସର୍ବାଧିକ ୭ଜଣ ଆବେଦକ ଥିଲେ । ସମୁଦାୟ ୨୧ଟି ଦେଶୀ ଦୋକାନ ପାଇଁ ସମୁଦାୟ ୪୧ଟି ଆବେଦନ ପତ୍ର ଆସିଥିଲା । ବାକି ୧୭ଟି ଦୋକାନ ପାଇଁ କୌଣସି ଆବେଦନ ଆସିନଥିଲା । ଲଟେରୀ ଉଠାଣ ପାଇଁ ସ୍ୱଚ୍ଛ ବାକ୍ସ ଓ ଲଟ୍ରି କୁପନ୍ ବ୍ୟବହାର କରାଯାଇଥିଲା । ଲଟେରୀ ଉଠାଣକାରୀ ଭାବେ ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳଙ୍କ ଆଖିରେ କଳାପଟି ବନ୍ଧାଯାଇଥିଲା । ତା’ ସତ୍ତ୍ୱେ ବି ବାକ୍ସ ଆଡକୁ ନ ଚାହିଁ ସେମାନେ କୁପନ ବାକ୍ସ ଭିତରୁ ଉଠାଇଥିଲେ । ଇଚ୍ଚୁକ ଆବେଦକମାନେ ମଧ୍ୟ ନିଜେ ନିଜେ କଳାପଟି ବାନ୍ଧି ଓ ବାକ୍ସରେ ହାତ ପୁରାଇ ପରୀକ୍ଷା ନିରୀକ୍ଷା କରିଥିଲେ । ଆବେଦକମାନଙ୍କ ସମ୍ମୁଖରେ କୁପନ ବାକ୍ସ ଭିତରେ ପକାଯାଇ ବାକ୍ସକୁ ହଲାଇ ଗୋଳାଯାଇଥିଲା । ପୁଣି ବାକ୍ସକୁ ଏକ ନାଲି କପଡ଼ା ଖୋଳରେ ଆବୃତ୍ତ କରାଯାଇ ମଧ୍ୟ ଗୋଳା ଯାଉଥିଲା ଏବଂ ଆଖିରେ ପଟି ଥାଇ କୁପନ ଉଠାଣ ପରେ ସମସ୍ତଙ୍କୁ ନମ୍ବର ଦେଖାଇ ଫଳାଫଳ ଘୋଷଣା କରାଯାଇଥଲା । ଏ ସମସ୍ତ ପ୍ରକ୍ରିୟାକୁ ଅନଲାଇନ୍ ଜରିଆରେ ବାହାରେ ଆୟୋଜିତ ଅପେକ୍ଷା ଗୃହରେ ଦୃଶ୍ୟ ଓ ଶ୍ରାବ୍ୟ ଫଳକ ମାଧ୍ୟମରେ ସମସ୍ତଙ୍କୁ ପ୍ରଦର୍ଶନ କରାଯାଉଥିଲା । ସମସ୍ତ ପ୍ରକ୍ରିୟାକୁ ଭିଡ଼ିଓଗ୍ରାଫି ଓ ଫଟୋ ଉଠାଯିବାର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ସୂଚନା ସମସ୍ତଙ୍କୁ ଅବଗତ କରାଯାଇ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଂଖ୍ୟଶ ୬ ଓ ୯ ଇଂରାଜୀରେ ସାମଞ୍ଜସ୍ୟ ଥିବାରୁ ପୃଥକ୍ ଭାବେ ଚିହ୍ନଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ବନ୍ଧରେ ଅତିରିକ୍ତ ଜିଲାପାଳ ସମସ୍ତ ଦଳଙ୍କୁ ସୂଚନା ଦେଇଥିଲେ । ବିଦେଶୀ ମଦ ଦୋକାନ ଉଠାଣରେ ବିଦୁ ପାଇଁ ପ୍ରଥମ ଦଳ ଭାବେ ଆବେଦନ କକ୍ଷକୁ ପ୍ରବେଶ କରିଥିଲା ବେଳେ ଶେଷ ଦଳ ଭାବେ ପାତ୍ରପଡ଼ା ବଜାର ପାଇଁ ପ୍ରବେଶ କରିଥିଲେ । ସେହିପରି ଦେଶୀ ପାଇଁ ଔପଦାର ନାମ ପ୍ରଥମେ ଘୋଷଣା କରାଯାଇଥିଲା ବେଳେ ଶେଷ ଦଳ ଭାବେ ପଞ୍ଚୁପଲ୍ଲୀ ପାଇଁ ଉଠାଣ କରାଯାଇଥିଲା । ଅବକାରୀ ନିରୀକ୍ଷକ ପ୍ରବୀନ କୁମାର ପ୍ରଧାନ, ନାରାୟଣ ବେହେରା, ଗାଲୁରାମ ସୋରେନ୍ ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ ।