ଶ୍ରୀରାମଚନ୍ଦ୍ର ଭବନରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୦ତମ ଜୟନ୍ତୀ ପାଳିତ
କଟକ : ସମ୍ଭବ କଳା ପରିଷଦ ଓ ଜାହ୍ନବୀ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ବାଣୀପୀଠ ଶ୍ରୀରାମ ଚନ୍ଦ୍ର ଭବନଠାରେ ୧୪୦ତମ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ପାଳିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଅୟୋଜିତ ସଭାରେ କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅନୀଲ କୁମାର ସାମଲ ଉଦଘାଟକ, ଉତ୍କଳ ଗାନ୍ଧି ସ୍ମାରକୀ ନିଧିର ସଂପାଦକ ଜୟନ୍ତ କୁମାର ଦାସ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ପଟ୍ଟନାୟକ ବରେଣ୍ୟ ଅତିଥି ଓ ଆକାଶବାଣୀ କଟକର ଗୀତିକାର ତଥା ବୈଷ୍ଣବ ପାଣି ସାହିତ୍ୟ ଗବେଷକ ବିଶ୍ୱେଶ୍ୱର ମହାନ୍ତି ପ୍ରମୁଖ ଯୋଗଦେଇ କବି ବୈଷ୍ଣବ ପାଣି ଯଥାର୍ଥରେ ଓଡିଆ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଡ. କିଶୋର ମହାନ୍ତିଙ୍କୁ ଗଣକବି ବୈଷ୍ଣବ ପାଣି କଳା ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା । ଏଥିସହିତ ନମିତା ମହାନ୍ତିଙ୍କ ଦ୍ୱାରା ସଂପାଦିତ ଟିକି ଦୁନିଆର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ଜାହ୍ନବୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ରାଜୀବ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ଭବ କଳା ପରିଷଦର ସଭାପତି ସୁକାନ୍ତ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବାହୁ ଭଜନ ସନ୍ଧ୍ୟା ଦ୍ୱରା ପାଣି ସଂଗୀତ ପରିବେଷଣ କରାଯାଇଥିଲା । ଅପରାହ୍ନରେ ଆୟୋଜିତ ରାଜ୍ୟସ୍ତରୀୟ ଛନ୍ଦବୋଧ କବିତା ପାଠୋତ୍ସବ ଗୀତିକାର ବୈଦ୍ୟନାଥ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କବିତା ପାଠ ଉତ୍ସବରେ ବିଶିଷ୍ଟ କବି ଓ ପ୍ରଶାସକ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି, ବାଇମୁଣ୍ଡି ଭାଷା ସାହିତ୍ୟ ସୁରକ୍ଷା ପରିଷଦର ସଂପାଦକ ଦୀନବନ୍ଧୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଣି କବିତା ଉପରେ ଆଲୋଚନା କରିଥିଲେ । ଏହି କବିତା ପାଠ ଉତ୍ସବକୁ କବି ଛବିରାଣୀ ପତି ଓ ଯୁବ କବି ସୁଶାନ୍ତ ପଟ୍ଟନାୟକ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ସୁଷମା ପଣ୍ଡା ପରିଚାଳନା କରିଥିଲେ ।