ବାତିଲ୍ ହେଲା ଆଇସିଏସ୍ଇ ଦଶମ ପରୀକ୍ଷା
- ଜୁନରେ ନିଆଯିବ ଦ୍ୱାଦଶ ଶ୍ରେଣୀ ଉପରେ ନିଷ୍ପତ୍ତି
ନୂଆଦିଲ୍ଲୀ : କାଉନସିଲ୍ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜେୁକେଶନ) ଦଶମ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାସହିତ ଦ୍ୱାଦଶ ପରୀକ୍ଷାକୁ ପୂର୍ବ ଭଳି ସ୍ଥଗିତ ରଖାଯାଇଛି। ପୂର୍ବରୁ ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ଜୁନ ୧ରେ କୋଭିଡ ସ୍ଥିତି ସମୀକ୍ଷା କରାଯିବା ପରେ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ଭାଇରସ କାରଣରୁ ଏବେ ସିଆଇଏସସିଆଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ରବ୍ଦ କରିଛି । ଯେଉଁ ଛାତ୍ରମାନେ ପରୀକ୍ଷାରେ ଉପସ୍ଥିତ ରହିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟାୟନ ନୀତି ଆପଣାଇବା ପାଇଁ ବୋର୍ଡ କହିଥିଲା । ଏହାସହ ଯେଉଁମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନେ ଦ୍ୱାଦଶ ଛାତ୍ରଙ୍କ ସହ ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ପ୍ରକାଶ ପାଇଥିଲା । ବୋର୍ଡ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ‘କରୋନା ଭାଇରସ୍ ସ୍ଥିିତି ପାଇଁ ସିଆଇଏସ୍ସିଇ ଆଇସିଏସ୍ଇର ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନେଇଛି। ଏପ୍ରିଲ୍ ୧୬ ତାରିଖରେ ପରୀକ୍ଷାକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ପ୍ରତ୍ୟାହାର କରି ନିଆଯାଉଛି।’ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସୁରକ୍ଷା ଆମର ପ୍ରାଥମିକତା। ସୂଚନା ଯେ, ସିଆଇଏସସିଇ ଦୁଇଟି ବୋର୍ଡର ସମାହାରରେ ତିଆରି ହୋଇଛି । ଏହାର ଦଶମ ପରୀକ୍ଷା ଆଇସିଏସଇ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ଆଇଏସସି ବୋର୍ଡ ଅନ୍ତର୍ଗତ ଅଟେ । ଗତ ମାର୍ଚ୍ଚ ୧ରେ ସିଆଇଏସସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏପ୍ରିଲ ୮ରୁ ଦ୍ୱାଦଶ ଏବଂ ମେ ୫ରୁ ଦଶମ ବୋର୍ଡ ପରୀକ୍ଷା ଆୟୋଜିତ ହେବ ବୋଲି କୁହାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିର୍ଦେଶକ୍ରମେ ମାର୍ଚ୍ଚ ୧୯ରେ ଉଭୟ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।