ଟେଷ୍ଟ ମାନ୍ୟତା : ଭାରତୀୟ ଖେଳାଳିଙ୍କ ଦବଦବା, ଟପ୍-୫ ଅଲରାଉଣ୍ଡରରେ ୩ ଖେଳାଳି
![](https://thetruths.in/wp-content/uploads/2023/02/Ravindra-Jadeja-Ravichandran-Ashwin-Axar-Patel-1024x576.jpg)
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ଵାରା ବୁଧବାର ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି । ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡରରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଦଳର ୩ ଜଣ ଖେଳାଳି ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ରହିଛନ୍ତି।
ଆଇସିସିର ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ୩ ଜଣ ଭାରତୀୟ ଖେଳାଳି ସାମିଲ୍ ଅଛନ୍ତି। ରବୀନ୍ଦ୍ର ଜାଡେଜା ଶୀର୍ଷରେ ଥିବାବେଳେ ରବିଚନ୍ଦ୍ରନ ଅଶ୍ଵିନ ଦ୍ଵିତୀୟ ଓ ପଞ୍ଚମରେ ଅକ୍ଷର ପଟେଲ୍ ଅଛନ୍ତି। ଦିଲ୍ଲୀ ଟେଷ୍ଟ ପରେ ବୋଲିଂ ମାନ୍ୟତାରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଟେଷ୍ଟରେ ନମ୍ବର ଓ୍ଵାନ ବୋଲର ହେବାର ମାନ୍ୟତା ହରାଇଛନ୍ତି। ଇଂଲଣ୍ଡର ଷ୍ଟାର ବୋଲର ତଥା ବରିଷ୍ଠ ଖେଳାଳି ଜେମ୍ସ ଆଣ୍ଡରସନ ପୁଣି ଥରେ ଶୀର୍ଷ ସ୍ଥାନକୁ ଉଠିଛନ୍ତି। କମିନ୍ସ ୧୪୬୬ ଦିନ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ଥିଲେ। ଏହି ଅଷ୍ଟ୍ରେଲିଆ ବୋଲରଙ୍କ ରେଟିଂ ପଏଣ୍ଟ ୮୫୮କୁ ଖସିଥିବା ବେଳେ ଆଣ୍ଡରସନଙ୍କ ପଏଣ୍ଟ ୮୬୬କୁ ବୃଦ୍ଧି ଘଟିଛି। ଭାରତୀୟ ବୋଲର ଅଶ୍ଵିନଙ୍କୁ ମଧ୍ୟ ଫାଇଦା ମିଳିଛି। ସେ ୮୬୪ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ବୋଲିଂ ମାନ୍ୟତାରେ ଟପ୍-୧୦ରେ ୩ ଭାରତୀୟ ବୋଲର ରହିଛନ୍ତି। ଏଥିରେ ରବିଚନ୍ଦ୍ରନ ଅଶ୍ଵିନ ଦ୍ଵିତୀୟରେ ଥିବା ବେଳେ ଯଶପ୍ରୀତ ବୁମରା ପଞ୍ଚମରେ ଅଛନ୍ତି। ଟପ୍୧୦ରେ ରବୀନ୍ଦ୍ର ଜାଡେଜାଙ୍କ ପ୍ରବେଶ ଘଟିଛି। ସେ ତାଲିକାରେ ନବମ ସ୍ଥାନକୁ ଉଠିଛନ୍ତି। ବ୍ୟାଟିଂ ମାନ୍ୟତାରେ କୌଣସି ପରିବର୍ତ୍ତନ ଘଟିନି। ବ୍ୟାଟିଂରେ ପୂର୍ବପରି ଋଷଭ ପନ୍ତ ଷଷ୍ଠ ଏବଂ ରୋହିତ ଶର୍ମା ସପ୍ତମରେ ରହିଛନ୍ତି।
ସୂଚନା ଯେ, ବ୍ୟାଟିଂରେ ଋଷଭ ପନ୍ତ (ନମ୍ଵର ୬, ୭୮୧ ରେଟିଂ), ରୋହିତ ଶର୍ମା (ନମ୍ବର ୭, ୭୭୭ ରେଟିଂ) ଥିବାବେଳେ ବୋଲରରେ ରବିଚନ୍ଦ୍ରନ ଅଶ୍ଵିନ (ନମ୍ବର ୨, ୮୬୪ ରେଟିଂ), ଯଶପ୍ରୀତ ବୁମରା (ନମ୍ବର୫, ୭୯୫ ରେଟିଂ), ରବୀନ୍ଦ୍ର ଜାଡେଜ (ନମ୍ବର ୯, ୭୬୩ ରେଟିଂ) ରହିଛି । ସେହିପରି ଅଲରାଉଣ୍ଡରରେ ରବୀନ୍ଦ୍ର ଜାଡେଜା (ନମ୍ବର ୧, ୪୬୦ ରେଟିଂ), ରବିଚନ୍ଦ୍ରନ ଅଶ୍ଵିନ (ନମ୍ବର ୨, ୩୭୬ ରେଟିଂ) ଅକ୍ଷର ପଟେଲ୍ (ନମ୍ବର ୫, ୨୮୩ ରେଟିଂ) ରହିଛନ୍ତି ।