ଟି-୨୦ ବିଶ୍ୱକପ୍ : ଆଜି ଦ୍ୱିତୀୟ ସେମିଫାଇନାଲରେ ପାକ୍-ଅଷ୍ଟ୍ରେଲିଆ ଟକ୍କର
![](https://thetruths.in/wp-content/uploads/2021/11/Pakistan-vs-Australia.jpg)
- ବିଶ୍ୱକପରେ କେବେ ପାକିସ୍ତାନଠୁ ହାରିନି କଙ୍ଗାରୁ ଟିମ୍
ଆବୁଧାବି : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପରେ ଗୁରୁବାର ଦ୍ୱିତୀୟ ସେମିଫାଇନାଲ । ଏଥିରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ । ୫ଥର ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତି ସାରିଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହୋଇନାହିଁ । ବିଶ୍ୱକପରେ କେବେ ପାକିସ୍ତାନଠୁ ହାରିନି କଙ୍ଗାରୁ ଟିମ୍ । ଫଳରେ ମ୍ୟାଚ୍ରେ ଅପରାଜେୟ ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଫାଇନାଲ୍ରେ ପ୍ରବେଶ କରିବାକୁ ପ୍ରୟାସ କରିବ । ସେହିପରି ପାକିସ୍ତାନ ୨୦୧୦ ଟି-୨୦ ବିଶ୍ୱକପ୍ ସେମି ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପାକିସ୍ତାନ ୨୦୦୯ରେ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏଥର ବାବର ଆଜମଙ୍କ ନେତୃତ୍ୱରେ ଦଳ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ଲିଗ୍(ସୁପର-୧୨) ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତିବା ପରେ ପାକିସ୍ତାନର ମନୋବଳ ଶିଖର ଛୁଇଁଛି । ଅଷ୍ଟ୍ରେଲିଆକୁ ଏଥର ହରାଇବାର କ୍ଷମତା ପାକିସ୍ତାନ ନିକଟରେ ରହିଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ବାବର ଓ ମହମ୍ମଦ ରିଜୱାନଙ୍କ ସମେତ ପେସ୍ ବୋଲର ସହିନ ଶାହ ଆଫ୍ରିଦି ଓ ନିମ୍ନ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ଅସିଫ ଅଲି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ମାତ୍ର ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ରହିବ ।
ଆଇସିସି ନକ୍ଆଉଟ୍ ପ୍ରତିଯୋଗିତାରେ ପାକିସ୍ତାନ ଉପରେ ଅଷ୍ଟ୍ରେଲିଆର ପଲା ଭାରୀ ରହିଛି। ଆଇସିସି ପ୍ରତିଯୋଗିତାର ନକଆଉଟ୍ ପର୍ଯ୍ୟାୟରେ ପାକିସ୍ତାନ-ଅଷ୍ଟ୍ରେଲିଆ ଚାରି ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ଅଷ୍ଟ୍ରେଲିଆ ଜିତିଛି। ୧୯୮୭ ଏକଦିବସୀୟ ବିଶ୍ବକପ୍ ସେମିଫାଇନାଲ୍, ୧୯୯୯ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍, ୨୦୧୦ ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ ଓ ୨୦୧୫ ଏକଦିବସୀୟ ବିଶ୍ବକପ୍ର କ୍ବାର୍ଟର ଫାଇନାଲ୍ରେ ପାକିସ୍ତାନକୁ ଅଷ୍ଟ୍ରେଲିଆ ହରାଇଛି। ୟୁଏଇରେ କିନ୍ତୁ ପାକିସ୍ତାନର ଚମତ୍କାର ରେକର୍ଡ ରହିଛି। ଏଠାରେ ଖେଳିଥିବା ଗତ ୧୬ ଟ୍ବେଣ୍ଟି-୨୦ରେ ପାକିସ୍ତାନ ଅପରାଜେୟ ରହିଛି। ଶେଷଥର ପାଇଁ ୨୦୧୫ ନଭେମ୍ବରରେ ସାରଜାଠାରେ ପାକିସ୍ତାନ ସୁପରଓଭରରେ ଇଂଲଣ୍ଡଠାରୁ ହାରିଥିଲା। ସେହିପରି ବିଶ୍ୱକପ୍ରେ ପାକିସ୍ତାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ । ୧୯୮୭ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲ୍, ୧୯୯୯ ବିଶ୍ୱକପ୍ ଫାଇନାଲ୍, ୨୦୧୦ ଟି-୨୦ ବିଶ୍ୱକପ୍ ସେମି ଫାଇନାଲ୍ ଓ ୨୦୧୫ ଦିନିକିଆ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ପାକିସ୍ତାନ ପରାଜିତ ହୋଇଛଉି । ଅଷ୍ଟ୍ରେଲିଆ ଏକ ଅଭିଜ୍ଞ ତଥା ସନ୍ତୁଳିତ ଦଳ ନେଇ ଏଥର ଗ୍ରାଉଣ୍ଡକୁ ଓହ୍ଲାଇଛି । ତଥାପି ଦଳ ଆଧିପତ୍ୟ ଜାହିର କରିବାରେ ବିଫଳ ହୋଇଛି । କୌଣସି ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରିନାହାନ୍ତି। ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । ୟୁଏଇରେ ପାକିସ୍ତାର ପ୍ରଦର୍ଶନ ସର୍ବଦା ଉନ୍ନତ ରହି ଆସିଛି । ୨୦୧୫ରେ ପାକସ୍ତାନ ଶେଷ ଥର ପାଇଁ ୟୁଏଇରେ ଏକ ଟି-୨୦ ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୧୬ଟି ଟି-ଟ୍ୱେଣ୍ଟି ଜିତିଛି । ଆଜି ସହିନ ଆଫ୍ରିଦିଙ୍କ ଉପରେ ନଜର ରହିବ । ନୂଆ ବଲ୍ରେ ତାଙ୍କ ସୁଇଂ ବୋଲିଂ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର କାରଣ ହେବା ନିଶ୍ଚିତ। ଭାରତ ବିପକ୍ଷରେ ଆଫ୍ରିଦିଙ୍କ ବୋଲିଂକୁ ହୁଏତ କ୍ରିକେଟ୍ ପ୍ରେମୀ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରଖିବେ ।
ଟି-୨୦ ବିଶ୍ବକପ୍ର ଇତିହାସ ଦେଖିଲେ କିନ୍ତୁ ପାକିସ୍ତାନର ସଫଳତା ହାର ଅଷ୍ଟ୍ରେଲିଆଠାରୁ ଢେର ଅଧିକ। ପାକିସ୍ତାନ ୨୦୦୭ ମସିହାରେ ଉପବିଜେତା ହେବା ପରେ ୨୦୦୯ରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ୨୦୧୦ରେ ଇଂଲଣ୍ଡଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିବା ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଆସିଛି। ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର ଫର୍ମକୁ ଆସିବା ପାକିସ୍ତାନ ପାଇଁ ବଡ଼ ବିପଦ ଭାବେ ଉଭା ହୋଇପାରେ। ମିଚେଲ ମାର୍ସ ମଧ୍ୟ ଗତ ମ୍ୟାଚ୍ରେ ବହୁତ ଭଲ କ୍ରିକେଟ୍ ଖେଳିଥିଲେ। ସ୍ପିନର ଆଦାମ ଜାମ୍ପା ବି ଚମତ୍କାର ଫର୍ମରେ ଅଛନ୍ତି। ହେଲେ ପାକିସ୍ତାନର ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟର୍ ଆସିଫ ଅଲ୍ଲୀ ତାଙ୍କୁ ହଇରାଣରେ ପକାଇପାରନ୍ତି। ଗୁରୁବାର ମ୍ୟାଚ୍ କିନ୍ତୁ ଅଷ୍ଟ୍ରେଲିଆ ବ୍ୟାଟିଂ ବନାମ ପାକିସ୍ତାନ ବୋଲିଂ ହେବ ବୋଲି ଆଲୋଚନା ହେଉଛି। କାରଣ ଆଫ୍ରିଦିଙ୍କ ଛଡ଼ା ପାକିସ୍ତାନ ପାଖରେ ହାରିସ ରୌଫ ଓ ହାସନ ଅଲ୍ଲୀଙ୍କ ଭଳି ବୋଲର ଅଛନ୍ତି। ସ୍ପିନର ଇମାଦ ୱାସିମ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଗୁରୁବାର ପାକିସ୍ତାନର ବିଜୟ ରଥକୁ ରୋକିବାର ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ପାକିସ୍ତାନ ଦ୍ବିତୀୟ ଥର ଟି-୨୦ ବିଶ୍ବ ବିଜେତା ହେବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ। ପାକିସ୍ତାନ ଗ୍ରୁପ୍-୨ର ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲ୍ ଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗ୍ରୁପ୍-୧ର ଦ୍ବିତୀୟ ସ୍ଥାନରେ ରହି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦୁବାଇରେ କାକର ପଡ଼ୁଥିବାରୁ ଟସ୍ ପୁଣି ଥରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଟସ୍ ଜିତିବା ଦଳ ଆଶାଜନକ ଭାବେ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବ। ଉଭୟ ଦଳ ୨୨ ଟି-୨୦ ରେ ଭେଟାଭେଟି ହୋଇଛନ୍ତି। ପାକିସ୍ତାନ ୧୩ ମ୍ୟାଚ୍ ଜିତି ଢେର ଆଗରେ ଥିଲା ବେଳେ ଅଷ୍ଟ୍ରେଲିଆ ମାତ୍ର ୯ ମ୍ୟାଚ୍ ଜିତିଛି। ଟି-୨୦ ବିଶ୍ବକପ୍ରେ ଉଭୟ ୬ ମ୍ୟାଚ୍ ଖେଳିଥିଲା ବେଳେ ୩ଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ଦୁବାଇରେ ଖେଳିଥିବା ୭ ମ୍ୟାଚ୍ରୁ ପାକିସ୍ତାନ ୫ଟି ଜିତିଥିଲା ବେଳେ ଅଷ୍ଟ୍ରେଲିଆ କେବଳ ୨ ମ୍ୟାଚ୍ ଜିତିଛି।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର, ଆରୋନ ଫିଞ୍ଚ୍ (ଅଧିନାୟକ), ମିଚେଲ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଦ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।
ସମ୍ଭାବ୍ୟ ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଫକର ଜମନ, ମହମ୍ମଦ ହାଫିଜ/ହାଇଦର ଅଲ୍ଲୀ, ସୋଏବ ମଲ୍ଲିକ, ଆସିଫ ଅଲ୍ଲୀ, ସଦାବ ଖାନ୍, ଇମାଦ ୱାସିମ, ହାସନ ଅଲ୍ଲୀ/ମହମ୍ମଦ ନୱାଜ, ହାରିସ ରୌଫ, ସାହିନ ସାହ ଆଫ୍ରିଦି।