ଟି-୨୦ ବିଶ୍ୱକପ୍ : ନାମିବିୟାକୁ ୯ ଓ୍ବିକେଟରେ ହରାଇ ବିଜୟ ସହ ଅଭିଯାନ ଶେଷ କଲା ଭାରତ
![](https://thetruths.in/wp-content/uploads/2021/11/India-Win.jpg)
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଟି-୨୦ ବିଶ୍ବକପର ଶେଷ ଲିଗ ମ୍ୟାଚରେ ନାମିବିୟାକୁ ୯ ଓ୍ବିକେଟରେ ପରାସ୍ତ କରି ବିଜୟ ସହ ନିଜର ବିଶ୍ବକପ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଭାରତ ତା’ର ଶେଷ ଲିଗ୍ ମ୍ୟାଚରେ ନାମିବିଆକୁ ୯ ୱିକେଟରେ ବଡ଼ ବିଜୟ ହାସଲ କରିଛି। ପୂର୍ବରୁ ସେମିଫାଇନାଲ୍ ରେସରୁ ବାଦ୍ ପଡ଼ିଥିବା ଭାରତ କେବଳ ସମ୍ମାନ ପାଇଁ ଏହି ମ୍ୟାଚ୍ ଖେଳିଥିଲା। ଆଉ ଆଫଗାନିସ୍ତାନ ଓ ସ୍କଟଲ୍ୟାଣ୍ଡ ଭଳି ନାମିବିଆକୁ ମଧ୍ୟ ଭାରତ ଏକତରଫା ଭାବେ ହରାଇଛି। ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ୍ରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନାମିବିୟାକୁ ପରାସ୍ତ କରି ସହଜ ବିଜୟ ହାସଲ କରିଛି। ଏଥିସହ ଅଧିନାୟକ ଭାବେ ବିରାଟ କୋହଲି ଶେଷ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଆଉ ମ୍ୟାଚ୍ ସରିବା ସହ ରବି ଶାସ୍ତ୍ରୀଙ୍କ ଭାରତୀୟ କୋଚ୍ ଭାବେ କାର୍ଯ୍ୟକାଳ ସମାପ୍ତ ହୋଇଛି। ଏହିପରି ଭାବେ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ଯୁଗର ଅବସାନ ଘଟିଛି।
ପୂର୍ବରୁ ବିରାଟ୍ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ଦମଦାର ଆରମ୍ଭ କରିଥିଲା। ଦୁଇ ଓପ୍ନର ଷ୍ଟିଫାନ୍ ବାର୍ଡ ଓ ମାଇକେଲ୍ ଭାନ୍ ଲିଙ୍ଗେନ୍ ଭାରତର ଦୁଇ ଫ୍ରଣ୍ଟ ଲାଇନ୍ ପେସର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରାଙ୍କୁ ଆଟାକ୍ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଲେ ବୁମ୍ରା। ଲିଙ୍ଗେନ ୧୪ ରନ୍ କରି ଆଉଟ୍ ହୋଇଥିଲେ।ଏହା ପରେ ନାମିବିଆର ୱିକେଟ୍ ପତନ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରିକି ଦଳର ରନ୍ ଗତି ମଧ୍ୟ ହ୍ରାସ ପାଇଥିଲା। ଲିଙ୍ଗେନଙ୍କ ସ୍ଥାନରେ ଆସିଥିବା କ୍ରେଗ୍ ୱିଲିୟମ୍ସ ଖାତା ଖୋଲିବା ପୂର୍ବରୁ ଜାଡେଜାଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ବାର୍ଡ (୨୧)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ଜାଡେଜା। କ୍ୟାପଟେନ୍ ଗେରାର୍ଡ ଏରାସମସ୍ (୧୨) ଓ ଜାନ୍ ନିକୋଲ୍ ଲଫ୍ଟି-ଇଟନ୍ (୫)ଙ୍କୁ ଅଶ୍ୱିନ୍ ଆଉଟ୍ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଅଭିଜ୍ଞ ଅଲରାଉଣ୍ଡର ଡେଭିଡ୍ ୱିସ୍ ୨୬ ରନର ଇନିଂସ୍ ଖେଳି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ତେବେ ନିମ୍ନକ୍ରମରେ ଜାନ୍ ଫ୍ରିଲିଙ୍କ (୧୫) ଓ ରୁବେନ୍ ଟ୍ରମ୍ପେଲମାନ୍ (୧୩)ଙ୍କ ଉପଯୋଗୀ ରନ୍ ବଳରେ ନାମିବିଆ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଜାଡେଜା ଓ ଅଶ୍ୱିନ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ବୁମ୍ରା ୨ଟି ୱିକେଟ୍ ହାସଲ କରିଥିଲେ।
୧୩୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ନିଜର ଖ୍ୟାତି ମୁତାବକ ବ୍ୟାଟିଂ କରିଥିଲେ। ଉଭୟ ନାମିବିୟା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ବିସ୍ଫୋରକ ବ୍ୟାଟିଂ କରି ଦୁଇ ଓପନର ୯.୫ ଓଭରରେ ୮୬ ରନ ଯୋଡିଥିଲେ। ଏହି କ୍ରମରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ୩୦୦୦ ରନ ପୂରଣ କରିଥିଲେ। ରୋହିତ ୨୪ତମ ଅର୍ଦ୍ଧଶତକ ସହ ୩୭ ବଲ୍ରୁ ୭ ଚୌକା ଓ ୨ ଛକା ସହ ୫୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ବିଜୟ ଔପଚାରିକତା ପୂରଣ କରିଥିଲେ। କେଏଲ ରାହୁଲ ପୁଣି ଥରେ ଦମଦାର ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ୧୨ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ରାହୁଲ ଓ ସୂର୍ଯ୍ୟକୁମାର ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ରେ ୫୦ ରନ ଯୋଡି ଭାରତକୁ ୧୫.୨ ଓଭରରେ ୯ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି। ରାହୁଲ ୩୬ ବଲ୍ରୁ ୪ ଚୌକା ଓ ୨ ଛକା ସହ ୫୪ ଏବଂ ସୂର୍ଯ୍ୟକୁମାର ୨୫ ରନ କରି ଅପରାଜିତ ଥିଲେ।