ଗୋପାଳ ଓ ତାହାର ସ୍ତ୍ରୀ
ଗୋପାଳ ଏକ ଦିନେ ଗୋଟିଏ ଗଉଡୁଣୀ ସଙ୍ଗରେ ଥଟ୍ଟା ପରିହାସର କଥା ହେଉ ଥିଲା । ଏଣେ ଜଳା କବାଟି ବାଟେ ତା ଭାର୍ଯ୍ୟା ଦେଖି କ୍ରୋଧରେ ଗୋପାଳକୁ ବହୁତ ଗାଳି ଦେଲା । ଗୋପାଳ କିଛି ନ କହି ମନେ ମନେ ଭାର୍ଯ୍ୟାକୁ ଜବତ କରିବା ସକାଶେ ରାଗଟି ରଖିଲା । ଅକସ୍ମାତ୍ ଦିନେ ତାହାର ମଝିଆଁ ଜୋଇଁ ଆପଣା ମନକୁ ବୁଲିବାକୁ ଆସି ଥିଲା । ତାହାକୁ ଗୋପାଳ ଗୌରବ କରି ବସାଇଲା । ବୋଇଲା ବାବୁ ।
ଏହି ବୈଠକ ଖାନା ଘରେ ବସ ମୁଁ ଘରୁ ଜାମା ପିନ୍ଧି ଆସେ । କିନ୍ତୁ ଟିକେ ବାବୁ ସତର୍କତା ଭାବରେ ଥିବ । ଏଠାରେ ଚୋର ଗୋଳ । ଜୋଇଁ କହିଲା ଆପଣଙ୍କର ଭୟ କାହିଁକି, ଯାଆନ୍ତୁ ମୁଁ ଜଗୁ ଅଛି । ଗୋପାଳ ଦ୍ୱାରଟି ଲଗାଇ ଦେଇ ଘରକୁ ଗଲା, ଭାର୍ଯ୍ୟାକୁ କହିଲା –
ମୁଁ ବୈଠକ ଖାନାରେ ଚାବି ଦେଇ ଆସି ନାହିଁ । ତୁ ଯାଇ ଚାବିଟା ଦେଇ ଆସିବୁଟି, ନ ହେଲେ ଶାଳୀ ଗଉଡୁଣୀ ପ୍ରତି ଦିନ ସନ୍ଧ୍ୟା ସମୟରେ ଅଜା ଅଜା କହି ମୋ ପାଖକୁ ଆସେ, ମୁଁ ଜାଣେ ସେ ଶାଳୀ ବଡ ବଜାତ୍ ଓ ଚୋରଣୀ, କାହାରିକି ନ ଦେଖିଲେ କିଛି ନା କିଛି ଚୋରୀ କରି ନେଇ ଯିବ ।
ଏହା ଶୁଣି ଗୋପାଳ ଭାଣ୍ଡର ଭାର୍ଯ୍ୟା ତତ୍କ୍ଷଣାତ୍ ଗଲା । ବାଟରେ ଭାବିଲା ପ୍ରଭୁଙ୍କ କୃପାରେ ଆଜି ଦେଖା ପଡିବକି ତେବେ ତାହାର ବଦମାସୀ ଛଡାଇ ଦେବି । ଏହି ପରି ମନରେ ଭାଳି କ୍ରୋଧରେ ଜର୍ଜ୍ଜର ହୋଇ ବୈଠକ ଖାନାକୁ ଗଲା ।
ଏଣେ ଜୋଇଁ ଚୋର ଗୋଳ ଶୁଣି ଚୋର ଧରିବା ମାନସରେ ଚୁପ୍ ହୋଇ ବସି ଅଛି । ଶାଶୁ ଗଉଡୁଣୀକି ଧରିବା ସକାଶେ ଚୁପ୍ ଚୁପ୍ ହୋଇ ଘର ଭିତରକୁ ଯାଇ ଜୋଇଁକି ଗଉଡୁଣୀ ମନେ କରି ଜୋଇଁ ହାତକୁ ଦୃଢ ଭାବରେ ଧରି ପକାଇଲା । ଜୋଇଁ ବି ମଧ୍ୟ ଶାଶୁକୁ ଚୋର ମନେ କରି ଶାଶୁର ହାତକୁ ଦୃଢ ଭାବରେ ଧଇଲା । ଅନ୍ଧାର ଘରେ ଦୁହେଁ ଯାକ ଠେଲା ପେଲା ହେଲେ, ଜୋଇଁ ଚୋର ଚୋର ବୋଲି ଡାକ ପକାଇଲା ।
ଗୋପାଳ ଭାର୍ଯ୍ୟାର ପଛେ ପଛେ ଚୁପ୍ ଚୁପ୍ ହୋଇ ଯାଉ ଥିଲା । ଦୁହିଁଙ୍କର ଚୋର ଧରା ଧରି ରହସ୍ୟ ଦେଖି ଗୋପାଳ ଆଲୁଅ ନେଇ ଧାଇଁ ଆସି ପହଁଚିଲା । ଦୁହେଁ ଚିହ୍ନା ଚିହ୍ନି ହୋଇ ଲାଜରେ ପଳାଇଲେ । ଗୋପାଳ ହସି ହସି ଘରେ ଚାବି ଦେଇ ଚାଲି ଗଲା ।