ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ
- ମୂଳପୋଛ ଲକ୍ଷ୍ୟରେ ଭାରତ, ଆତ୍ମସମ୍ମାନ ପାଇଁ ଉଦ୍ୟମ କରିବ ଶ୍ରୀଲଙ୍କା
କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଶୁକ୍ରବାର କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡ଼ିୟମ୍ରେ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ଖେଳାଯିବ । ଭାରତ ପୂର୍ବ ଦୁଇଟିଯାକ ମ୍ୟାଚ୍ ଜିତି ସାରିଥିବାର ଏହି ମ୍ୟାଚ୍ ସିରିଜ୍ ମୂଳପୋଛ କରିବା ଲାଗି ଉଦ୍ୟମ କରିବ ବୋଲି ଆଶା କରାଯାଉଛି । ଭାରତ ପ୍ରଥମ ଦିନିକିଆକୁ ୭ ଉଇକେଟ୍ରେ ଏବଂ ଦ୍ୱିତୀୟ ଦିନିକିଆକୁ ୩ ଉଇକେଟ୍ରେ ନିଜ ନାମରେ କରିଥିଲା । ସେହିପରି ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ୍କୁ ଶେଷ ମୁହୂର୍ତରେ ହାତଛଡ଼ା କରିଥିବାରୁ ଶେଷ ଦିନିକିଆରେ ବିଜୟ ହାସଲ କରି ଆତ୍ମସମ୍ମାନ ରଖିବାକୁ ପୂରା ଉଦ୍ୟମ କରିବ ।
ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ଭଲ ପ୍ରଦର୍ଶନ କରିଛି । ଟିମ୍ରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତ ଥିଲେ ବି ଭାରତୀୟ ଯୁବ ଟିମ ଶ୍ରୀଲଙ୍କାରେ ଶୃଙ୍ଖଳା ମୂଳପୋଛ କରି ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତ ବର୍ତ୍ତମାନ ଆଇସିସି ଦିନିକିଆ ମାନ୍ୟତାରେ ୧୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ୧୧୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଏବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି। ଏହି ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଯଦି ଓ୍ଵେଷ୍ଟଇଣ୍ଡିଜ୍ ଅଷ୍ଟ୍ରେଲିଆକୁ ହରାଇଦିଏ ତେବେ ଭାରତ ମାନ୍ୟତାର ତୃତୀୟ ସ୍ଥାନକୁ ଉନ୍ନିତ ହେବ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନକୁ ଖସି ଆସିବ। ଏହି ସିରିଜ୍ରେ ଭାରତର ଅଧିନାୟକ ଦାୟିତ୍ଵ ସମ୍ଭାଳୁଥିବା ଶିଖର ଧାଓ୍ଵନ ଭଲ ଫର୍ମରେ ଅଛନ୍ତି କ୍ରମାଗତ ରନ କରୁଛନ୍ତି। ଏହି କାରଣରୁ ତାଙ୍କର ମାନ୍ୟତାରେ ଫାଇଦା ହୋଇଛି। ସେ ୧୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଟିମ୍ ଯେଉଁଭଳି ଫର୍ମରେ ଅଛି ଦଳ ତୃତୀୟ ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଧାଓ୍ଵନ କଲୋମ୍ବୋରେ ଖେଳାଯାଉଥିବା ତିନି ମ୍ୟାଚ୍ର ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅପରାଜିତ ୮୬ ରନ କରିଥିଲେ। ଏହି ଇନିଂସ ଦମରେ ତାଙ୍କର ରେଟିଂ ପଏଣ୍ଟ ୭୧୨ରେ ପହଞ୍ଚିଛି। ସେ ଦୁଇଟି ସ୍ଥାନ ଉପରକୁ ଉଠି ୧୬ମରେ ପହଞ୍ଚିଛନ୍ତି। କୋହଲିଙ୍କ ରେଟିଂ ପଏଣ୍ଟ ୮୪୮ ରହିଛି।
ସୂଚନା ଯେ, ୧୯୯୭ ପରଠାରୁ ଭାରତ ବିପକ୍ଷରେ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ୍ ଜିତିନାହିଁ। ପୁଣି ତା’ର ଶେଷ ୧୦ଟି ଦିନିକିଆରୁ ଶ୍ରୀଲଙ୍କା ୯ଟି ମ୍ୟାଚ୍ରେ ପରାସ୍ତ ହୋଇଛି। ଭାରତର କିଛି ପ୍ରମୁଖ ଖେଳାଳିଙ୍କ ବିନା ସିରିଜ୍ ଜିତିପାରିଛି। ଈଶାନ୍ କିଷନ୍, ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବ ସିରିଜ୍ରେ ଦର୍ଶନୀୟ ଇନିଂସ ଖେଳିଛନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କ ଭୂମିକା କ୍ରୁନାଲ ପାଣ୍ଡ୍ୟା ସଠିକ୍ ଭାବେ ନିର୍ବାହ କରି ପାରିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କାର କିଛି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ସେଟ୍ ହେବା ସତ୍ତ୍ବେ ୱିକେଟ ଫିଙ୍ଗିବା ଦଳ ପାଇ ମହଙ୍ଗା ସାବ୍ୟସ୍ତ ହୋଇଛି। ୱାନିନ୍ଦୁ ହସରଙ୍ଗା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଶ୍ରୀଲଙ୍କା ୨ଟି ପରିବର୍ତ୍ତନ କରିପାରେ। ପେସ୍ ବୋଲର କାସୁନ୍ ରଜିଥାଙ୍କ ସ୍ଥାନରେ ଲାହିରୁ କୁମାର ଏବଂ ଲକ୍ଷଣ ସନ୍ଦକନ୍ଙ୍କ ସ୍ଥାନରେ ଆକିଲା ଧନଞ୍ଜୟ ଖେଳିପାରନ୍ତି। ଭାରତୀୟ ଦଳରେ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ମିଳିପାରେ। ଫଳରେ ନବଦୀପ ସୈନି ଖେଳିବେ। ଯଦି ସଞ୍ଜୁ ସାମ୍ସନଙ୍କୁ ସୁଯୋଗ ଦେବାକୁ ଭାରତ ଚାହିଁବ; ତେବେ ଈଶନ୍ କିଷନ ବସିପାରନ୍ତି। ପିଚ୍ ପ୍ରଥମ ୨ଟି ଦିନିକିଆ ପରି ହେବ।