ପ୍ରଥମ ଦିନିକିଆ : ଭାରତକୁ ୨୬୩ ରନର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋ ସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମ୍ରେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଉଛି। ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଶିଖର ଧୱନ୍ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବୋଲିଂ କରିଥିଲା । ତେବେ ଭାରତୀୟ ଦଳ ଆଜି ଚମତ୍କାର ପ୍ରଦର୍ଶନ କରିଛି । ଦଳରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କାକୁ ୨୬୨ ରନ୍ରେ ଅଟକାଇଛି ।
ଶ୍ରୀଲଙ୍କା ବ୍ୟାଟସମ୍ୟାନମାନଙ୍କ ମିଳିତ ପ୍ରୟାସରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୬୨ରନ କରିଛି। ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୩ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ଚମିକା କରୁଣାରତ୍ନେ ସର୍ବାଧିକ ୪୩ ରନର ଅପରାଜିତ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଅଧିନାୟକ ଦାସୁନ ଶନାଙ୍କା ୩୯ ଓ ଚରିତ ଅସଲଙ୍କା ୩୮ ରନ କରିଛନ୍ତି। ଭାରତ ପକ୍ଷରୁ ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।