ଡେବ୍ୟୁ ଟେଷ୍ଟରେ ଶ୍ରେୟସ ଆୟରଙ୍କ ବିରଳ ରେକର୍ଡ
କାନପୁର : ଡେବ୍ୟୁ ଟେଷ୍ଟ ମ୍ୟାଚ୍ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିବାରେ ଶ୍ରେୟସ ଆୟର ରବିବାର ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟର ଦ୍ବିତୀୟ ଦିନରେ ଭାରତର ପ୍ରଥମ ଇଂନିସରେ ଶୁକ୍ରବାର ଆୟର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ଏଥିସହ ୧୬ତମ ଭାରତୀୟ ଭାବେ ଡେବ୍ୟୁ ଟେଷ୍ଟରେ ଶତକ ହାସଲକାରୀ ହୋଇଥିଲେ । ଶେଷ ଭାରତୀୟ ଖେଳାଳି ଭାବେ ପୃଥ୍ବୀ ଶ ଏହି ବିରଳ କରିସ୍ମା କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨୦୧୮ରେ ପୃଥ୍ବୀ ଶ ଡେବ୍ୟୁ ଟେଷ୍ଟରେ ଶତକୀୟ ଇଂନିସ ଖେଳିଥିଲେ ।
ଏଥିସହ ସେ ୫୦ ବର୍ଷର ବଡ଼ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ୫୦ରୁ ଅଧିକ ରନ୍ କରିବାରେ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ୍ ଗାଭାସ୍କରଙ୍କ ରେକର୍ଡ କାଟିଛନ୍ତି। ୧୯୭୧ରେ ଗାଭାସ୍କର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୬୫ ଓ ୬୭ ରନ୍ କରିଥିଲେ। ଗାଭାସ୍କରଙ୍କୁ ପୂର୍ବରୁ ଏହି ରେକର୍ଡ ଦିଲାୱର ହୁସେନଙ୍କ ନାଁରେ ଥିଲା। ୧୯୩୩ରେ ଇଂଲଣ୍ଡ ବିପକ୍ଷ କୋଲକାତାରେ ଖେଳାଯାଇଥିବା ଟେଷ୍ଟରେ ଦିଲାୱର୍ ଉଭୟ ଇନିଂସରେ ଯଥାକ୍ରମେ ୫୯ ଓ ୫୭ ରନ୍ କରିଥିଲେ। ଏବେ ଆୟର ପୁଣିଥରେ ସେହି କାରନାମା ଦୋହରାଇଛନ୍ତି। ଏହାବ୍ୟତୀତ ଆୟର ଆଉ ଏକ ବଡ଼ କାରନାମା ମଧ୍ୟ ନିଜ ନାଁରେ କରିଛନ୍ତି। ଆୟର୍ ପ୍ରଥମ ଭାରତୀୟ ଭାବେ ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ଆୟର୍ ମଧ୍ୟ ଦୁନିଆର ଦଶମ ବ୍ୟାଟ୍ସମ୍ୟାନ୍ ଭାବେ ପଦାର୍ପଣ ଟେଷ୍ଟରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା କାନପୁର ଟେଷ୍ଟର ଚତୁର୍ଥ ଦିନରେ ଆୟର ଭାରତର ଦ୍ବିତୀୟ ଇଂନିସରେ ମଧ୍ୟ ଅର୍ଦ୍ଧଶତକୀୟ (୬୫) ଇଂନିସ ଖେଳିଛନ୍ତି । ଏହାପରେ ସେ ପ୍ରଥମ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି । ମ୍ୟାଚ୍ରେ ୧୭୦ ରନ୍ ସହ ଡେବ୍ୟୁ ଟେଷ୍ଟରେ ଆୟର ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ମଧ୍ୟ ହୋଇଛନ୍ତି । ଏହି ତାଲିକାର ଶୀର୍ଷରେ ଶିଖର ଧାୱନ ରହିଛନ୍ତି । ବର୍ଷ ୨୦୧୨ ଡେବ୍ୟୁ ମୋହାଲି ଟେଷ୍ଟରେ ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନ୍ର ଇଂନିସ ଖେଳିଥିଲେ । ରୋହିତ ଶର୍ମା ୧୭୭ ରନ୍ ସହ ତାଲିକାର ଦ୍ବିତୀୟରେ ରହିଛନ୍ତି । ଚତୁର୍ଥ ଦିନର ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୪/୧ରହିଛି । ଫଳରେ ମ୍ୟାଚ୍ର ଶେଷ ଦିନରେ ଭାରତ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ କରୁଛି । ପୂର୍ବରୁ ଦ୍ବିତୀୟ ଇଂନିସ ୨୩୪/୭ରେ ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ସାମ୍ନାରେ ୨୮୪ ବିଜୟ ଲକ୍ଷ୍ୟ ରହିଛି ।