ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମେୟର
କଟକ : ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା ରହିଛି । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କୁ ସମାନ ଅଧିକାର ପ୍ରାପ୍ତ କରାଇବାରେ ଗଣମାଧ୍ୟମ ସଂସ୍ଥାଗୁଡିକ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇଥାନ୍ତି ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଟକ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ମେୟର ସୁବାସ ଚନ୍ଦ୍ର ସିଂ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଭାରତୀୟ ପ୍ରେସ୍ ପରିଷଦଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚଳିତବର୍ଷ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟବସ୍ତୁ ଆଧାର କରି ଜାତୀୟ ପ୍ରେସ୍ ଦିବସରେ ପର୍ଯ୍ୟାଲୋଚନା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।
ସୂଚନା ଯେ, ସାମ୍ବିଧାନିକ ବ୍ୟବସ୍ଥାର ସତର୍କ ପ୍ରହରୀ ଭାବରେ ୧୯୫୬ ମସିହାରେ ଭାରତୀୟ ପ୍ରେସ୍ ପରିଷଦ ଗଠନ କରାଯାଇଥିଲା । ପତ୍ରକାରମାନେ କେବଳ ପ୍ରଶଂସକ ବା ନିନ୍ଦୁକ ହେବା ଉଚିତ ନୁହେଁ, ପ୍ରଶଂସା ଓ ନିନ୍ଦା ବଳୟର ଊର୍ଦ୍ଧ୍ୱରେ ରହି ସକାରାତ୍ମକ ସମ୍ବାଦ ପରିବେଷଣ କଲେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ହେବ ବୋଲି କଟକ ଜିଲାପାଳ ଡ. ଭବାନୀ ଶଙ୍କର ଚୟନୀ ମନ୍ତବ୍ୟ ଦେଇଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବଦିକ ଦେବୀ ପ୍ରସାଦ ମହାନ୍ତି ଯୋଗଦେଇ କୈାଣସି ପ୍ରକାର ପ୍ରଲୋଭନର ଶିକାର ନ ହୋଇ ନୀତିନିଷ୍ଠ ଭାବରେ କାର୍ଯ୍ୟ ନିର୍ବାହ କଲେ ତାହାହିଁ ଶ୍ରେଷ୍ଠ ସାମ୍ବାଦିକତାର ପରିଚୟ ହେବ ବୋଲି କହିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ କଟକ ସଦର ଲକ୍ଷ୍ମଣକୁମାର ବେହେରା ଧନ୍ୟବାଦ ଦେଇଥିଲେ । ଏଥିରେ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।