ବାଲେଶ୍ୱର : ଜୁଲାଇ ମାସ ପାଇଁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସମ୍ମିଳନୀ ଗୃହରେ ଶନିବାର ଅପରାହ୍ନରେ ଚଳିତ ଜୁଲାଇ ମାସ ପାଇଁ ଜିଲା ସଡକ ସୁରକ୍ଷା କମିଟିର ସଦସ୍ୟମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆବାହକ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ଦ୍ୱାରା ଗତ ମାସ ବୈଠକର ବିବରଣୀ ଉପସ୍ଥାପନ ଆଧାରରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଜିଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କ ଜରିଆରେ ସମୀକ୍ଷା କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଳସେନ ଜଗଦ୍ଦେବ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।
ରାସ୍ତା ଦୁର୍ଘଟଣା ଓ ଜୀବନହାନୀ ହ୍ରାସ କରାଯିବା ପାଇଁ ବିଶେଷ କରି ଖାଲ ଢିପ ଥିବା ସର୍ଭିସ ରୋଡ଼ ଗୁଡ଼ିକର ଯଥାଶୀଘ୍ର ମରାମତି କରାଯିବା, ହେଲମେଟ ଚେକିଂ ସହ ନାବାଳକ ଗାଡ଼ି ଚାଳନାକୁ ରୋକିବା, ଜାତୀୟ ରାଜପଥରେ ଡାଇଭର୍ସନ ଚିହ୍ନଟ କରାଯାଇ ଟ୍ରାଫିକ ନିୟନ୍ତ୍ରଣ ପାଇଁ କର୍ମଚାରୀ ମୁତୟନ କରାଯିବା, ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ଼ମାନଙ୍କର ବୁଲାଣି ଜାଗାରେ ସାଇନେଜ ଲଗାଯିବା ଆଦି ଦିଗରେ ଆଲୋକପାତ କରିଥିଲେ । ବିଶେଷ କରି ମୌସୁମୀ ବର୍ଷା ଆଗରୁ ବାମପଦା ଛକ, କୁରୁଡା ଛକ, ରେମୁଣା ଗୋଲେଇ ରାସ୍ତାଗୁଡିକୁ ଯଥାଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଯୋଗୁଁ ସ୍ଥାୟୀ ନିର୍ମାଣ ହୋଇ ନ ପାରିଲେ ସାମୟିକ ଭାବେ ବଡ଼ ବଡ଼ ଖାଲ ସବୁ ପୂରଣ କରାଯାଇ ମରାମତି କରିବାକୁ କହିଥିଲେ । ଜିଲା ସଦର ମହକୁମାର ପ୍ରତି ସରକାରୀ ଅଫିସ ପ୍ରବେଶ ଦ୍ୱାରରେ “ହେଲମେଟ୍ ବିନା ପ୍ରବେଶ ନିଷେଧ” ବୋର୍ଡ଼ ଲଗାଇବା ପାଇଁ ପଦକ୍ଷେପ ନେବାକୁ ପରିବହନ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଦୁଇପାଖରେ ଛିଡ଼ା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ଟ୍ରକ୍ ଓ ଅନ୍ୟ ଗାଡି ସବୁକୁ ଫୁଲାଡ଼ି ନିକଟସ୍ଥ ଚିହ୍ନଟ କରାଯାଇଥିବା ୫ ଏକର ବିଶିଷ୍ଟ ଜାଗାରେ ପାର୍କିଂ କରାଇବା ପାଇଁ ପଦକ୍ଷେପ ନେବାକୁ ପରିବହନ ଅଧିକାରୀଙ୍କୁ କୁହାଯାଇଥିଲା । ଅଧିକ ବେଗ, ଅଧିକ ବୋଝେଇ, ଦ୍ରବ୍ୟ ପରିବହନ ଯାନରେ ଯାତ୍ରୀ ପରିବହନ, ଯାନ ଚାଳନା ସମୟରେ ମୋବାଇଲର ବ୍ୟବହାର, ନିଶା ସେବନ କରି ଗାଡ଼ି ଚାଳନା, ବିନା ହେଲମେଟ୍ରେ ଗାଡ଼ି ଚାଳନା ଆଦି ଅପରାଧ ଅଧାରରେ ଆର୍ଟିଓଙ୍କ ଦ୍ୱାରା ଜୁନ ମାସ ମଧ୍ୟରେ ଚିହ୍ନଟ କରାଯାଇଥିବା ସମୁଦାୟ ୧୫୨ ଅପରାଧୀଙ୍କ ମଧ୍ୟରୁ ୫୮ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ଏବଂ ଚଳିତ ବର୍ଷ ଜାନୁୟାରୀରୁ ଜୁନ ପର୍ଯ୍ୟନ୍ତ ସମୁଦାୟ ଚିହ୍ନଟ ୩୦୦୮ ଅପରାଧୀଙ୍କ ମଧ୍ୟରୁ ୧୦୧୧ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଛି ।
ସେହିପରି ପୋଲିସ ବିଭାଗର ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ଜୁନ୍ ମଧ୍ୟରେ ଅଧିକ ବେଗ ପାଇଁ ୪ଜଣ, ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ପାଇଁ ୨୯ଜଣ, ଅନ୍ୟାନ୍ୟ କାରଣ ପାଇଁ ୫୦ଜଣ ସମୁଦାୟ ୮୩ ଜଣଙ୍କ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି । ୨୦୨୧ ମସିହା ଜାନୁୟାରୀରୁ ଜୁନ ମଧ୍ୟରେ ପୋଲିସ୍ ଥାନାମାନଙ୍କ ଦ୍ୱାରା ପ୍ରଦତ ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ସମୁଦାୟ ୨୦୬ଟି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ରୂପସାରୁ ଶେରଗଡ଼, ଶେରଗଡ଼ରୁ ସୋର, ସୋରରୁ ସିମୁଳିଆ ପର୍ଯ୍ୟନ୍ତ ପୋଲିସ ବିଭାଗ ଦ୍ୱାରା କରାଯାଉଥିବା ପାଟ୍ରୋଲିଂରେ ଟ୍ରାଫିକ୍ ନିୟମ ଅବମାନନା କରୁଥିବା ଅପରାଧୀ ଚିହ୍ନଟ, ପାଟ୍ରୋଲିଂ ଟିମ୍ ଦ୍ୱାରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଅପରାଧୀ ସଂଖ୍ୟା ଅନ୍ୟ ଜିଲା ତୁଳନାରେ ବହୁତ କମ୍ ଏବଂ ଶୂନ ଥିବାରୁ ଏ ଦିଗରେ ଅଧିକ କଡ଼ାକଡ଼ି ଯାଞ୍ଚ ଏବଂ ସମୀକ୍ଷା କରିବା ପାଇଁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ଜିଲାପାଳ ପରାମର୍ଶ ପ୍ରଦାନ କରିଥିଲେ ।